ନଦୀରେ ଗାଧୋଉଥିବା ବେଳେ ଛାତ୍ରଙ୍କୁ ଟାଣିନେଲା କୁମ୍ଭୀର

ଦିଗପହଣ୍ଡି,୨୭ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ସେବକ ଟିକରପଡ଼ା ଗ୍ରାମ ଘୋଡାହାଡ ନଦୀ ଗଣ୍ଡରେ ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଗାଧୋଉଥିବା ବେଳେ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କୁ ଏକ କୁମ୍ଭୀର ଟାଣି ନେଇଥିଲା। ବହୁ ସମୟ ଖୋଜାଖୋଜି କରିବା ପରେ ଗ୍ରାମବାସୀଙ୍କ ସହାୟତାରେ ଛାତ୍ରଙ୍କ ମୃତଦେହ ଜବତ କରାଯାଇଛି। ମୃତ ଛାତ୍ର ହେଲେ ଖମ୍ବାରୀଗାଁ ପଞ୍ଚାୟତ ସେବକ .ଟିକରପଡା ଗ୍ରାମର ଶୁଭ୍ରାଂଶୁ କୁମାର ଗୌଡ଼ (୧୧)। ପ୍ରକାଶ ଯେ, ଘୋଡ଼ାହାଡ଼ ନଦୀରେ ଶୁଭ୍ରାଂଶୁ ଗାଧୋଇବା ସମୟରେ ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା। ସା ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାର ଲୋକେ ନଦୀ ନିକଟକୁ ଯାଇଥିଲେ । ସେଠାରେ ତାଙ୍କ ଡ୍ରେସ ଓ ଚପଲ ଥିବା ଦେଖିଥିଲେ। ଗ୍ରାମବାସୀ ଓ କୈବର୍ତ୍ତ୍ୟ ସମ୍ପ୍ରଦାୟର ଲୋକେ ନଦୀ ଭିତରେ ଏକ କୁମ୍ଭୀରକୁ ଦେଖିଥିଲେ। ଡଙ୍ଗା ସାହାଯ୍ୟରେ କୁମ୍ଭୀରକୁ ଘେରାଇ ମାଛ ଜାଲ ଫୋପାଡି ଥିଲେ। ଫଳରେ କୁମ୍ଭୀରଟି ଶୁଭ୍ରାଂଶୁଙ୍କୁ ଛାଡି ପଳାଇଥିଲା। ଗ୍ରାମବାସୀ ଶୁଭ୍ରାଂଶୁଙ୍କୁ ଉଦ୍ଧାର କରି ଡଙ୍ଗା ସାହାଯ୍ୟରେ ଆଣିଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳରେ ଗ୍ରାମବାସୀଙ୍କ ପକ୍ଷରୁ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ବନ ବିଭାଗର ଅବହେଳା ଯୋଗୁଁ ଏଭଳି ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ କରିଥିଲେ। ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ର ଏବଂ କେ. ନୂଆଗାଁ ପୋଲିସ ଟିମ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛି। ସା ହୋଇଯାଇଥିବାରୁ ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି କେ.ନୂଆଗାଁ ଥାନା ଆଇଆଇସି ମୃତ୍ୟୁଞ୍ଜୟ ସ୍ବାଇଁ କହିଛନ୍ତି। ଏନେଇ ବନବିଭାଗ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ପଚାରିବାରୁ ଏହି ଘଟଣା ଦୁର୍ଭାଗ୍ୟଜନକ। ବିଭାଗୀୟ ତଦନ୍ତ ପରେ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।