ସାରା ୟୁରୋପରେ ବିକ୍ଷୋଭର ଝଡ଼

ପ୍ୟାରିସ୍‌,୨୬ା୧୦: ମହଙ୍ଗାମାଡ଼, ଜୀବନଧାରଣ ବ୍ୟୟ ବୃଦ୍ଧି, ବାସଗୃହ ସମସ୍ୟା ଏବଂ ସରକାରୀ ନୀତି ବିରୋଧରେ ସାରା ଫ୍ରାନ୍ସରେ ଉଠିଥିବା ବିରୋଧ କ୍ରମଶଃ ଗମ୍ଭୀର ହେବାରେ ଲାଗିଛି। ପ୍ୟାରିସ୍‌ ସମେତ ବିଭିନ୍ନ ସହରରେ ଲୋକମାନେ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲାବେଳେ ବିଭିନ୍ନ ସହରରେ ହିଂସା ବଢିଛି। ପ୍ୟାରିସ ସମେତ ଫ୍ରାନ୍ସର ଅନେକ ସହରରେ ସୁରକ୍ଷାକର୍ମୀ ଏବଂ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ବିକ୍ଷୋଭକାରୀଙ୍କୁ ଦମନ କରିବାକୁ ଯାଇ ପ୍ୟାରିସ୍‌ରେ ୧୩୦୦ ଲୋକଙ୍କୁ ଗିରଫ କରାଯାଇଛି। ସବୁଠାରୁ ଚିନ୍ତାର ବିଷୟ ହେଲା, ଏହି ସରକାରୀ ବିରୋଧୀ ବିକ୍ଷୋଭ କେବଳ ଫ୍ରାନ୍ସ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହା ତିରାନାର ରାସ୍ତାରୁ ଆରମ୍ଭ କରି ମାଦ୍ରିଦ, ରୋମ୍‌ ଏବଂ ଲିସବନ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି। ଯାହାକି ୟୁରୋପରେ ଏକ ନୂତନ ବିକ୍ଷୋଭ ଲହରି ଭାବେ ଦେଖାଯାଇଛି। ଏହିସବୁ ଦେଶରେ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ଲାଗି ସରକାର ଉଦ୍ୟମ କରୁଥିଲାବେଳେ ପୋଲିସ ସହ ବିକ୍ଷୋଭକାରୀଙ୍କ ସଂଘର୍ଷ ଯୋଗୁ ଅନେକ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।
ଆଭ୍ୟନ୍ତରୀଣ ବ୍ୟାପାର ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଶନିବାର ସାରା ଦେଶରେ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ସରକାରଙ୍କ ବିରୋଧରେ ବିକ୍ଷୋଭ କରିଥିଲେ। ପ୍ରାରମ୍ଭିକ ସ୍ତରରେ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ରହିଥିଲେ ହେଁ ପରବର୍ତ୍ତୀ ସମୟରେ ଏହା ହିଂସାର ରୂପ ନେଇଥିଲା। ଏହାପରେ ପ୍ୟାରିସ୍‌ ସମେତ ଅନ୍ୟାନ୍ୟ ସହରରେ ବିକ୍ଷୋଭକାରୀଙ୍କ ସଂଖ୍ୟା ବଢିବାରୁ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୩୦୦ରୁ ଅଧିକ ଲୋକଙ୍କୁ ଗିରଫ କରିଥିବା କୁହାଯାଇଛି। କଠୋର ବାମପନ୍ଥୀ ସମର୍ଥିତ ସଂଗଠନଗୁଡିକ ପକ୍ଷରୁ ପୋଲିସ ଉପରକୁ ବିଭିନ୍ନ ଜିନିଷ ଫିଙ୍ଗାଯିବା ସହିତ ବାଣ ଫୁଟାଯାଇଥିଲା। ଯାହାକି ସଂଘର୍ଷ ସୃଷ୍ଟି କରିବାର ଏକ ପ୍ରୟାସ ଥିଲା। ଏହାକୁ ଦୃଷ୍ଟିରେ ରଖି ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବାକୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଫ୍ରାନ୍ସ ଗୃହମନ୍ତ୍ରୀ ଲୁରେଣ୍ଟ ନୁନେଜ କହିଛନ୍ତି। ପ୍ୟାରିସ, ଲିଅନ, ଲିଲ, ମାର୍ସେଲ, ମଣ୍ଟପେଲିୟର୍‌, ନାଣ୍ଟେସ ଏବଂ ଟୁଲୁଜ୍‌ରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି। କେବଳ ପ୍ୟାରିସରେ ୩,୦୦୦ରୁ ଅଧିକ ଲୋକଙ୍କୁ ଅଟକ ରଖି ଯାଞ୍ଚ କରାଯାଇଥିଲା ଏବଂ ବିକ୍ଷୋଭ ସମୟରେ ୧୩୦୦ରୁ ଅଧିକ ଜଣଙ୍କୁ ଗିରଫ କରାଯାଇଥିଲା ବୋଲି ପୋଲିସ କହିଛି। ଫ୍ରାନ୍ସର ବାମପନ୍ଥୀ ନେତା ତଥା ରାଷ୍ଟ୍ରପତି ପ୍ରାର୍ଥୀ ଜିନ୍‌-ଲୁକ୍‌ ମେଲେନଚନ ପ୍ରଦର୍ଶନକୁ ନେଇ ଜନସାଧାରଣଙ୍କ ଧାରଣାକୁ ବଦଳାଇବା ପାଇଁ କର୍ତ୍ତୃପକ୍ଷ ବଳ ପ୍ରୟୋଗ କରୁଥିବା ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily

Share