ଭଞ୍ଜନଗର,୨ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ସ୍ବାସ୍ଥ୍ୟସେବାକୁ ସୁଧାରିବା ପାଇଁ ପ୍ରୟାସ ହୋଇଛି। ଏହିଭଳି ପରିସ୍ଥିତିରେ ସୋମବାର ବ୍ରହ୍ମପୁର ସିଟି ହସ୍ପିଟାଲରୁ ଜଣେ ନିଶ୍ଚେତକ ବିଶେଷଜ୍ଞ ଭଞ୍ଜନଗର ମେଡିକାଲକୁ ସପ୍ତାହକୁ ଦିନକ ପାଇଁ ଡେପୁଟେଶନରେ ଆସିଛନ୍ତି। ସପ୍ତାହର ପ୍ରତି ସୋମବାର ଉକ୍ତ ଡାକ୍ତର ଜଣଙ୍କ ଡେପୁଟେଶନରେ ଆସିବେ।
ସୋମବାର ଉକ୍ତ ଡାକ୍ତର ଜଣଙ୍କ ଆସିବା ପରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନିବେଦିତା ମହାପାତ୍ରଙ୍କ ସହାୟତାରେ କିଛି ମହିଳାଙ୍କ ଅପରେଶନ କରାଯାଇଛି। ଏଥିସହ ଆଉ ଜଣେ ନିଶ୍ଚେତକ ବିଶେଷଜ୍ଞ ମଧ୍ୟ ଆଗାମୀ ଦିନରେ ଏଠାରେ ଯୋଗ ଦେବେ। ଏନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।
ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଯେତିକି ଡାକ୍ତର ଆବଶ୍ୟକ ତା’ଠାରୁ ବହୁତ କମ୍ ଡାକ୍ତର ଅଛନ୍ତି। ଏହାଦ୍ବାରା ରୋଗୀ ସେବା ପ୍ରଭାବିତ ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଆଉ କିଛି ନୂତନ ଡାକ୍ତର ମଧ୍ୟ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନିଆଯାଇଛି।

