Categories: ଖେଳ

ଏହି କ୍ରିକେଟର୍‌ଙ୍କ ରୁମ୍‌ରେ ପଶିଲା ସାପ

ଲକ୍ଷ୍ନୌ,୨୦।୯:ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ମିଚେଲ ଜନସନ ବର୍ତ୍ତମାନ ଲିଜେଣ୍ଟସ ଲିଗ କ୍ରିକେଟ (ଏଲଏଲସି) ଖେଳୁଛନ୍ତି। ଅବସରପ୍ରାପ୍ତ ଖେଳାଳିଙ୍କ ଏହି ଟି-୨୦ ଲିଗରେ ସେ ଇଣ୍ଡିଆ କ୍ୟାପିଟାଲ୍ସ ଦଳର ଏକ ଅଂଶ। ବୁଧବାର ଲକ୍ଷ୍ନୌରେ ଇଣ୍ଡିଆ କ୍ୟାପିଟାଲ ଏବଂ ଭିଲୱାରା କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। କିନ୍ତୁ ମ୍ୟାଚ ପୂର୍ବରୁ ଜନସନ ଏକ ଫଟୋ ଶେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଲକ୍ଷ୍ନୌର ଏକ ହୋଟେଲରେ ରହୁଥିବା ଜନସନଙ୍କ ରୁମ୍‌ରେ ଏକ ସାପ ପ୍ରବେଶ କରିଥିଲା। ସେ ଇନଷ୍ଟାଗ୍ରାମରେ ସାପର ଫଟୋ ଶେୟାର କରି ଏହାର ପ୍ରଜାତି ବିଷୟରେ ପଚାରିଥିଲେ।
୪୦ ବର୍ଷିୟ ଜନସନ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଏହା କେଉଁ ପ୍ରକାରର ସାପ କିଏ ଜାଣନ୍ତି? ମୁଁ କବାଟ ପାଖରେ ଠିଆ ହୋଇଛି। ସେ ଅନ୍ୟ ଏକ ପୋଷ୍ଟରେ ଲେଖିଛନ୍ତି, ଏହି ସାପର ମୁଣ୍ଡର ଏକ ଭଲ ଫଟୋ ଉଠିଲା। ଏହା କେଉଁ ପ୍ରଜାତିର ବୋଲି ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ସୂଚନାଯୋଗ୍ୟ, ଇଣ୍ଡିଆ କ୍ୟାପିଟାଲ୍ସ ଲିଗ ଅଫ ଲିଜେଣ୍ଡରେ ପରାଜୟ ସହିତ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଗୁଜରାଟ ଜଏଣ୍ଟସଠାରୁ ଦଳ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚରେ ଜନସନ ୩ ଓଭର ବୋଲିଂ କରି ଗୋଟିଏ ଉଇକେଟ ନେଇଥିଲେ।

Share