ଅବହେଳିତଙ୍କ ମୁହଁରେ ଫୁଟାଉଛି ହସ

କେନ୍ଦୁଝର ଖଣିଖାଦାନ ଅଞ୍ଚଳରେ ରହୁଥିବା ଅନେକ ଅବହେଳିତ ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ଅଣ୍ଟା ଭିଡ଼ିଛନ୍ତି ସେମାନେ। କେବେ କୋଭିଡ୍‌ ମୁକାବିଲା କରିବା ତ ଆଉ କେବେ ପ୍ରଦୂଷଣମୁକ୍ତ କେନ୍ଦୁଝର ଗଢ଼ିବା ଲକ୍ଷ୍ୟରେ ବୃକ୍ଷରୋପଣ କରିବା ଆଉ ପୁଣି କେବେ ଅସହାୟଙ୍କ ସହାୟତା ଲାଗି ରକ୍ତଦାନ କରିବାକୁ ବି ପଛାଇ ନ ଥାଆନ୍ତି । ସେମାନେ ହେଉଛନ୍ତି କେନ୍ଦୁଝରରେ ଥିବା ‘ଖୁସି ଦ ଇନ୍‌କ୍ରିଡେବଲ ଭାରତ’ ନାମକ ୟୁଥ୍‌ କ୍ଲବ୍‌ର ସଦସ୍ୟମାନେ।
୨୦୨୦ରେ ଯେତେବେଳେ କୋଭିଡ୍‌ରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଥିଲା, ବିଶେଷକରି ଅବହେଳିତ ପିଲାମାନଙ୍କ ସମସ୍ୟା ବଢ଼ିଲା; ସେତେବେଳେ କିଛି ଯୁବକ ମିଶି ଆରମ୍ଭ କରିଥିଲେ ଏହି କ୍ଲବ। ବର୍ତ୍ତମାନ ଏଥିରେ ପାଖାପାଖି ୩୦ ଜଣ ସଦସ୍ୟ ସକ୍ରିୟ କାମ କରୁଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ପରୋକ୍ଷରେ ସହାୟତାର ହାତ ବଢ଼ାଇ ଏହି ଅଭିଯାନରେ ସାମିଲ ହୋଇ କାମ କରିଚାଲିଛନ୍ତି ା ବିଭିନ୍ନ ହାଟିଂ ବା ବସ୍ତିରେ ରହୁଥିବା ବିଶେଷକରି ଖଣିଦ୍ୱାରା କ୍ଷତିଗ୍ରସ୍ତ ଏବଂ ଅବହେଳିତ ବଡ଼ବିଲ ପୌରାଞ୍ଚଳରେ ରହୁଥିବା ଗରିବ ଅବହେଳିତ ଶିଶୁଙ୍କୁ ମାଗଣା ଶିକ୍ଷାଦାନ କରିବା ସହ ସେମାନଙ୍କ ସମସ୍ୟା ବୁଝି ସମାଧାନ କରିବା ଭଳି କାମରେ ଲାଗିଛନ୍ତି ଏହି ୟୁଥ କ୍ଲବର ସଦସ୍ୟା ସଦସ୍ୟମାନେ। କାହାରି ଅନୁଦାନରେ ନୁହେଁ, ନିଜର ପାରିଶ୍ରମିକ ଅର୍ଥରୁ କିଛି କିଛି ଦେଇ ଏହି ସଦସ୍ୟମାନେ ଉକ୍ତ କାମକୁ ଆଗେଇ ନେଉଛନ୍ତି। ତେବେ ଏହି କାର୍ଯ୍ୟ ଅନ୍ୟମାନଙ୍କୁ କିପରି ପ୍ରେରଣା ଯୋଗାଇବ ଏବଂ ଅଧିକରୁ ଅଧିକ ଲୋକ ଏଭଳି କାର୍ଯ୍ୟ ପାଇଁ ଆଗେଇ ଆସିବେ, ସେହି ଲକ୍ଷ୍ୟ ନେଇ ଏକ ଓ୍ବେବ୍‌ ପୋର୍ଟାଲ୍‌ ଗଠନ କରିଛନ୍ତି।
ସଂସ୍ଥାର ସଭାପତି ଅତୁଲ ଗିରି ଓ ସାଧାରଣ ସମ୍ପାଦକ ମନୀଷ ଠାକୁର ଅନ୍ୟ ସମସ୍ତ ସଦସ୍ୟମାନଙ୍କ ସହାୟତାରେ ଏହି ଅଭିଯାନକୁ ଆଗେଇ ନେଉଛନ୍ତି ା ବର୍ତ୍ତମାନ ସୁଦ୍ଧା ସେମାନେ ୫୦୦ରୁ ଊର୍ଦ୍ଧ୍ୱ ଗରିବ ତଥା ଆଦିବାସୀ ଅବହେଳିତ ପିଲାଙ୍କୁ ପାଠପଢ଼ା ଉପକରଣ, କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିଛନ୍ତି। ଏହା ସହ ପରିବେଶ ସୁରକ୍ଷା, ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଆଦି କ୍ଷେତ୍ରରେ ନିଃସ୍ବାର୍ଥପର ଭାବରେ କାମ କରିବା ସହ ପିଲାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରିଆସୁଛନ୍ତି ା କେବଳ ଏତିକି ନୁହେଁ, ଶିଶୁ ଶ୍ରମ ବିରୋଧୀ ଅଭିଯାନ, ବୃକ୍ଷରୋପଣ, ପୋଷାକ ବଣ୍ଟନ, ରକ୍ତଦାନ ଶିବିର ଆୟୋଜନ ଆଦି ସାମାଜିକ ଓ ସଚେତନତାମୂଳକ କାର୍ଯ୍ୟ କରି ସ୍ଥାନୀୟ ଅଞ୍ଚଳରେ ତଥା ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ଏହି କ୍ଲବ। ତେବେ ଏଭଳି ସମାଜଧର୍ମୀ କାର୍ଯ୍ୟ ପାଇଁ କ୍ଲବ୍‌ ବିଭିନ୍ନ ସ୍ଥାନରୁ ସମ୍ମାନିତ, ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଛି।
– ନରେଶ ଚନ୍ଦ୍ର ପଟ୍ଟନାୟକ