ଏ ସ୍ମଲ ଷ୍ଟେପ୍‌’ ଡକ୍ୟୁମେଣ୍ଟାରି ଜାତୀୟ ପୁରସ୍କାର ପାଇଁ ମନୋନୀତ

କୋରାପୁଟ,୬ା୧୧(ଅମିତାଭ ବେହେରା): ଜାତୀୟତୀୟ ସ୍ତରରେ ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଦ୍ୱାରା ‘କମ୍ୟୁନିଟି ମିଡିଆ ଚାଲେଞ୍ଜ-୨୦୨୩’ ଶୀର୍ଷକରେ ଆୟୋଜିତ ଡକ୍ୟୁମେଣ୍ଟାରି ଚଳଚ୍ଚିତ୍ର ପ୍ରତିଯୋଗିତାରେ ଓଡିଆ ଝିଅ ଝରଣା କାଦ୍ରାକା ଅଂଶଗ୍ରହଣ କରି ଜାତୀୟ ସ୍ତରୀୟ ଦ୍ୱିତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଚଳିତ ମାସ ୨୪ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଝରଣାଙ୍କୁ ପୁରସ୍କୃତ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। କମନ ୱେଲଥ ଅଫ୍‌ ଏଡୁକେଶନାଲ ମିଡିଆ ସେଣ୍ଟର (ସିଇଏମସିଏ) ପକ୍ଷରୁ କମ୍ୟୁନିଟି ମିଡିଆ ଚାଲେଞ୍ଜ-୨୦୨୩ ଶୀର୍ଷକରେ ବିଭିନ୍ନ ସବଥିମରେ ଦେଶର ପ୍ରତିଯୋଗୀମାନଙ୍କଠାରୁ ଅଡିଓ ଓ ଭିଡିଓ ଫର୍ମାଟରେ ଏଣ୍ଟ୍ରି ଆହ୍ବାନ କରାଯାଇଥିଲା। ଏଥିରେ ସାରା ଦେଶରୁ ବିଭିନ୍ନ କାଟାଗୋରିରେ ମୋଟ ୪୫ଟି ଏଣ୍ଟ୍ରି ଆସିଥିଲା। ଝରଣା ମଧ୍ୟ ନିଜ ଡକ୍ୟୁମେଣ୍ଟାରି ‘ଏ ସ୍ମଲ ଷ୍ଟେପ’ ପଠାଇଥିଲେ। ଏବେ ତାହା ଦ୍ୱିତୀୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛି। କୋରାପୁଟ ଜିଲା ଦାମନଯୋଡି ଅଞ୍ଚଳର ମେଘନାଦ କାଦ୍ରାକାଙ୍କ ଝିଅ ଝରଣା କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚକାରଝଲା ଗ୍ରାମର ଆଦିବାସୀ ଚାଷୀମାନଙ୍କୁ ନେଇ ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଯେଉଁଥିରେ ସେ ପଲିଥିନର ବହୁଳ ବ୍ୟବହାର କିପରି ଆମ ପରିବେଶକୁ ନଷ୍ଟ କରିବା ସହିତ ଚାଷ ଉପରେ କୁପ୍ରଭାବ ପକାଉଛି ତାହା ଦର୍ଶାଇଥିଲେ। ବିଚାରକଙ୍କ ଦ୍ୱାରା ଦ୍ୱିତୀୟ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଖବର ପାଇ ଝରଣା ଖୁସିବ୍ୟକ୍ତ କରିଛନ୍ତି। ଏହି ସଫଳତା ଆଗାମୀ ଦିନରେ ତାଙ୍କୁ ଆହୁରି ଅଧିକ ଭଲ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଝରଣା କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତା ବିଭାଗରେ ପାଠ ପଢା ପରେ ବର୍ତ୍ତମାନ ସେ ସିୱାଇଏସ୍‌ଡିର ଲାଇଭଉଡ୍‌ ପ୍ରକଳ୍ପରେ କାର୍ଯ୍ୟରତ ଅଛନ୍ତି।