ବାହୁଦା ମୁହାଣରେ ହେଉ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର

ବ୍ରହ୍ମପୁର ଅଫିସ,୨୩।୧୧: ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ମତ୍ସ୍ୟଜୀବୀ ବହୁଳ ପାତି ସୁନାପୁର ଉପକୂଳ ବାହୁଦା ମୁହାଣରେ ନଦୀଭିତ୍ତିକ କ୍ଷୁଦ୍ର ବନ୍ଦର ନିର୍ମାଣ ପାଇଁ କଂଗ୍ରେସ ଶ୍ରମିକ ସଂଗଠନ ଆଇଏନ୍‌ଟିୟୁସି ଦାବି କରିଛି। ଗତ ୧୮ ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ବନ୍ଦର ନୀତିକୁ ସରକାର ମଞ୍ଜୁରୀ ଦେଇଥିବା ସ୍ବାଗତଯୋଗ୍ୟ ହୋଇଥିବା କୁହାଯାଇଛି। ତେଣୁ ଦୀର୍ଘ ବର୍ଷର ଦାବି ବାହୁଦା ନଦୀ ମୁହାଣରେ ବନ୍ଦର ନିର୍ମାଣ ଲାଗି ପଦକ୍ଷେପ ନେବାକୁ ଗୁରୁତ୍ୱ ଦିଆଯାଇଛି। ଫଳରେ ମତ୍ସ୍ୟଜୀବୀ ଅଞ୍ଚଳର ଶହ ଶହ ଶ୍ରମିକ ଉପକୃତ ହେବେ ଏବଂ ସେମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ଘଟିବାର ଯୁକ୍ତି କରାଯାଇଛି।
ଆଇଏନ୍‌ଟିୟୁସି ଜିଲା ସଭାପତି ପୀତବାସ ପଣ୍ଡାଙ୍କ କହିବାନୁସାରେ ରାଜ୍ୟର ପାରାଦୀପ ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମଧ୍ୟରେ ଗଞ୍ଜାମ ଜିଲାର ଆର୍ଯ୍ୟପଲ୍ଲୀଠାରେ ଏକମାତ୍ର ଗୋପାଳପୁର ବନ୍ଦର ଅଛି। ଏହି କ୍ଷୁଦ୍ର ଓ ସାମୟିକ ବନ୍ଦରକୁ ସବୁଦିନିଆ ବୃହତ୍‌ ବନ୍ଦର ଲାଗି ୧୬ ବର୍ଷ ତଳେ ସରକାର ଘରୋଇକରଣ କରିଥିଲେ। ଏହାର ନୌବାଣିଜ୍ୟ କାରବାର ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଥିଲା। ଗୋପାଳପୁର ବନ୍ଦର ଉପରେ ଶହ ଶହ ବିଭିନ୍ନ ବର୍ଗର ଶ୍ରମିକ ନିର୍ଭର କରୁଛନ୍ତି। ତେବେ ଆମଦାନୀ ଓ ରପ୍ତାନି ଆଶାନୁରୂପ ହେଉ ନ ଥିବା ସେଠାର ଏକାଧିକ ଶ୍ରମିକ ସଂଗଠନ ନେତାମାନେ ଅଭିଯୋଗ କରିଛନ୍ତି। ୧୯୮୭ରେ ରାଜ୍ୟ ସରକାରଙ୍କ ନିଜସ୍ବ ବ୍ୟୟ ୧୪୦ କୋଟି ଟଙ୍କା ବ୍ୟୟରେ ହୋଇଥିବା ଗୋପାଳପୁର ବନ୍ଦର ଘରୋଇକରଣ କରାଯାଇଛି।
ପଣ୍ଡା ଆହୁରି କହିଛନ୍ତି, ପାରାଦୀପ ବନ୍ଦର ତା’ର କ୍ଷମତାଠାରୁ ଅଧିକ ପଣ୍ୟ କାରବାର କରୁଛି। ବିଶାଖାପାଟଣା ବନ୍ଦରରେ ମଧ୍ୟ ଅବସ୍ଥା ସମାନ। ଗୋପାଳପୁର ବନ୍ଦରକୁ ପୂର୍ଣ୍ଣାଙ୍ଗ ସବୁଦିନିଆ ବନ୍ଦର କରାଯିବା ଜରୁରୀ ହୋଇଛି। ଗୋପାଳପୁର ଓ ଆନ୍ଧ୍ରର କଳିଙ୍ଗପାଟଣା ଉପକୂଳ ମଧ୍ୟରେ ଅଛି ସୁନାପୁର ବାହୁଦା ନଦୀ ମୁହାଣ। ସେଠାରେ ଏକ କ୍ଷୁଦ୍ର ବନ୍ଦର ନିର୍ମାଣ ଲାଗି ୨୦୧୨ରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ। ଦୀର୍ଘଦିନ ପରେ ମଧ୍ୟ ରାଜ୍ୟ ସରକାର ଚୁକ୍ତିନାମା ସ୍ବାକ୍ଷର କରି ନ ଥିଲେ। ଫଳରେ ତାହା ପ୍ରସ୍ତାବରେ ରହିଯାଇଛି। ସମ୍ପ୍ରତି ନୌ-ବାଣିଜ୍ୟ କାରବାର ସବୁଠି ବୃଦ୍ଧି ପାଇବାରେ ଲାଗିଛି। ଏବେ ରାଜ୍ୟ ସରକାର ବନ୍ଦର ନୀତିକୁ କ୍ୟାବିନେଟରେ ମଞ୍ଜୁରୀ ଦେଇଥିବାରୁ ବାହୁଦା ନଦୀ ମୁହାଣରେ କ୍ଷୁଦ୍ର ବନ୍ଦର ନିର୍ମାଣ ଲାଗି ସରକାର ପଦକ୍ଷେପ ନେବାକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପ୍ରସଙ୍ଗ ଉଠାଇଛି।