ନୂଆଦିଲ୍ଲୀ,୪ା୧୧: ବିକ୍ଷୋଭ କରିବା ପାଇଁ କେହି ଏକ ସ୍ଥାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦଖଲ କରିପାରିବେ ନାହଁି ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଏପରିକି ବିକ୍ଷୋଭ ପାଇଁ ନିର୍ଦ୍ଧାରିତ ସ୍ଥାନଗୁଡ଼ିକ ନିମନ୍ତେ ନିର୍ଦ୍ଦିଷ୍ଟ ସମୟସୀମା ରହିବା ଉଚିତ। ଗତ ମାସରେ କେନ୍ଦ୍ରୀୟ ଦିଲ୍ଲୀର ଯନ୍ତରମନ୍ତର ଏବଂ ନିକଟରେ ରାମଲୀଳା ମଇଦାନରେ ବିରୋଧୀ ଦଳ ଓ ଅନ୍ୟମାନଙ୍କ ଦ୍ୱାରା ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କ ବିରୋଧରେ ହୋଇଥିବା ବିଶାଳ ବିକ୍ଷୋଭକୁ ନେଇ ପିଟିଶନ୍ର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି।
ଉତ୍ସବ ଋତୁରେ ରାମଲୀଳା ମଇଦାନରେ ଇଣ୍ଡିଆ ବ୍ଲକ୍ର ରାଲି ଯୋଗୁ ଉକ୍ତ ଅଞ୍ଚଳରେ ବ୍ୟବସାୟ ପ୍ରଭାବିତ ହେବାକୁ ଥିବାରୁ ଏହାକୁ ବନ୍ଦ କରିବା ପାଇଁ ବ୍ୟବସାୟୀ ସଂଘ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ଏହାର ଶୁଣାଣି କରି ଅଦାଲତ ଇଣ୍ଡିଆ ବ୍ଲକ୍କୁ ଆବେଦନର ପ୍ରତିବାଦୀ ଭାବେ ସାମିଲ କରିବାକୁ ବ୍ୟବସାୟୀ ସଂଘକୁ କହିଛନ୍ତି।
ଗତ ମାସରେ ସୁପ୍ରିମକୋର୍ଟ ପରିସରରେ ବିକ୍ଷୋଭ ବେଳେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜଣେ ମହିଳା ଖବରଦାତାଙ୍କୁ ଠେଲିଦେଇଥିବା ନେଇ ପିଟିଶନ ଦାଏର ହୋଇଥିଲା। ସୁପ୍ରିମକୋର୍ଟ ଏହା ଉପରେ କଂଗ୍ରେସ ଓ ଏହାର ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲଙ୍କୁ ଜବାବ ମାଗିଛନ୍ତି।
ଜାତୀୟ ରାଜଧାନୀରେ ନିକଟରେ ହୋଇଥିବା ବ୍ୟାପକ ଅଟକ, ପୋଲିସ ବର୍ବରତା, ମେଟ୍ରୋ ଷ୍ଟେଶନ ଓ ଇଣ୍ଟରନେଟ୍ ବନ୍ଦ ଆଦି ପ୍ରସଙ୍ଗକୁ ନେଇ ବ୍ୟବସାୟୀ ଓ ଅନ୍ୟମାନଙ୍କ ଦ୍ୱାରା ଦାଏର ଅନେକ ପିଟିଶନ୍ର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀ ଏବଂ ଭି. ମୋହନାଙ୍କ ଖଣ୍ଡପୀଠ ମହିଳା ଖବରଦାତାଙ୍କ ପିଟିଶନ୍ ଉପରେ କଂଗ୍ରେସ, ରାହୁଲ ଗାନ୍ଧୀ ଓ ଖାର୍ଗେଙ୍କ ତରଫରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘ୍ଭି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆରମ୍ଭରୁ କିରାନା କମିଟି ଦିଲ୍ଲୀ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଥିଲେ, ସେ ଦିଲ୍ଲୀର ସମସ୍ତ ବ୍ୟବସାୟୀ ସଂଘର ପ୍ରତିନିଧିତ୍ୱ କରୁଛନ୍ତି। କନ୍ନଟପ୍ଲେସ୍ରେ ସବୁ ଦୋକାନ ବନ୍ଦ ରହିଛି ଓ ସେଠାରେ କେହି ନାହାନ୍ତି ବୋଲି ରୋହତଗୀ କହିଥିଲେ।
ସିଜେଆଇ କହିଥିଲେ, ଆପଣମାନେ ଆଗାମୀ ଦିନରେ ସବୁ ସମୟ ପାଇଁ ବିକ୍ଷୋଭ ସ୍ଥଳକୁ ଦଖଲ କରିପାରିବେ ନାହିଁ। ଅନ୍ୟ ବିକ୍ଷୋଭକାରୀ କୃଷକ, ଖବରଦାତା, ଆଇନଜୀବୀ ଆଦି କୁଆଡ଼େ ଯିବେ। ତେବେ ବ୍ୟବସାୟୀ ସଂଘ, ବାସହୀନମାନେ କୁଆଡ଼େ ଯିବେ ବୋଲି ସେ ପ୍ରଶ୍ନ କରିଥିଲେ। ପ୍ରତ୍ୟେକଙ୍କର ବିକ୍ଷୋଭ କରିବା ଅଧିକାର ରହିଛି। ନିର୍ଦ୍ଦିଷ୍ଟ ବିକ୍ଷୋଭ ପାଇଁ ନିର୍ଦ୍ଦିଷ୍ଟ ସମୟ ଦିଆଯିବା ଆବଶ୍ୟକ ବୋଲି ସିଜେଆଇ କହିଛନ୍ତି।
ବିକ୍ଷୋଭ କରିବା ଅଧିକାର ସହ ବ୍ୟବସାୟ ଏବଂ ଜୀବିକା ନିର୍ବାହ କରିବାର ଅଧିକାର ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକତା ଉପରେ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି। ଏଠାରେ ପରସ୍ପର ବିରୋଧୀ ଦାବି ରହିଛି। ଆନ୍ଦୋଳନ କରିବା ଅଧିକାର ଓ ବ୍ୟବସାୟ କରିବା ଅଧିକାର ଉଭୟ ସମ୍ବିଧାନ ଦ୍ୱାରା ସ୍ବୀକୃତିପ୍ରାପ୍ତ ଅଧିକାର। ଆମେ ଏଠାରେ କେବଳ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ କଥା କହୁନାହୁଁ, ଦିନ ମଜୁରିଆଙ୍କ ଜୀବିକା ନିର୍ବାହ ଉତ୍ସ କଥା କହୁଛୁ। ସେମାନେ ଦୈନନ୍ଦିନ ଖର୍ଚ୍ଚ ଯୋଗାଡ଼ କରିବାକୁ କୁଆଡ଼େ ଯିବେ ବୋଲି ସିଜେଆଇ ପ୍ରଶ୍ନ କରିଥିଲେ। ବ୍ୟବସାୟରେ ଅନେକ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ଦର୍ଶାଇ ରୋହତଗୀ ଉତ୍ସବ ଋତୁରେ ବିକ୍ଷୋଭ ଉପରେ ୨ ମାସ କଟକଣା ଲଗାଯାଉ ବୋଲି ଦାବି କରିଥିଲେ। ଏନେଇ ସରକାର ଚିନ୍ତା କରିବା ସହ ନୂଆ ଯୋଜନା ଆଣିବା ଆବଶ୍ୟକ ବୋଲି ରୋହତଗୀ କହିଥିଲେ।