Categories: ଜାତୀୟ

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା, ଆନନ୍ଦ ଶର୍ମା ଦେଲେ ଇସ୍ତଫା…

ନୂଆଦିଲ୍ଲୀ, ୨୧।୮ : ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ମିଳିଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା ରବିବାର ଦିନ ଦଳର ପରିଚାଳନା କମିଟିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି ଯେ ଦଳରେ ତାଙ୍କୁ ଅଣଦେଖା କରାଯାଉଛି। ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ତାଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ତାଙ୍କୁ ଧ୍ୟାନ ଦିଆଯାଇ ନଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଜି-୨୩ ଗ୍ରୁପ୍‌ର ଗୁଲାମ ନବୀ ଆଜାଦ ଜମ୍ମୁ-କଶ୍ମୀରରେ ପ୍ରଚାର କମିଟିର ଅଧ୍ୟକ୍ଷ ପଦରୁ ଇ-ଇସ୍ତଫା ଦେବାର କିଛି ଦିନ ପରେ ଆନନ୍ଦ ଶର୍ମା ଇସ୍ତଫା ଦେଇଛନ୍ତି। ତେବେ ସେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିବେ। ଏପ୍ରିଲ ୨୦୨୨ରେ ଆନନ୍ଦ ଶର୍ମା ପରିଚାଳନା କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ।

ଗୁଲାମ ନବୀ ଆଜାଦ ଏବଂ ଆନନ୍ଦ ଶର୍ମା ଜି -୨୩ ଗ୍ରୁପ୍‌ର ପ୍ରମୁଖ ନେତା। ସେମାନେ ଦଳର ନେତୃତ୍ୱଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ଭୁପିନ୍ଦର ସିଂ ହୁଡା ଏବଂ ମନୀଷ ତିୱାରୀଙ୍କ ସମେତଅନ୍ୟ ନେତା ମଧ୍ୟ ଗ୍ରୁପ୍‌ରେ ସାମିଲ ଥିଲେ। ଆନନ୍ଦ ଶର୍ମା ହିମାଚଳ ପ୍ରଦେଶର ଜଣେ ବରିଷ୍ଠ ନେତା ଭାବରେ ପରିଗଣିତ ହୁଅନ୍ତି। କଂଗ୍ରେସ ଅଧ୍ୟକ୍ଷାଙ୍କୁ ଲେଖିଥିବା ଚିଠିରେ ସେ ଦର୍ଶାଇଛନ୍ତି ଯେ ଦଳର କୌଣସି ବୈଠକରେ ତାଙ୍କ ପରାମର୍ଶକୁ ଗୁରୁତ୍ୱ ପ୍ରଦାନ କରାଯାଇ ନ ଥିବାରୁ ତାଙ୍କ ଆତ୍ମ ସମ୍ମାନରେ ଆଞ୍ଚ୍‌ ଆସିଛି।

ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ହିମାଚଳ ପ୍ରଦେଶରେ ଭାଜପାଠରୁ କ୍ଷମତା ହାସଲ କରିବାକୁ କଂଗ୍ରେସ ଚେଷ୍ଟା କରୁଛି। ଆନନ୍ଦ ଶର୍ମା ପ୍ରଥମେ ୧୯୮୨ ରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ରାଜ୍ୟ ସଭା ଟିକେଟ ପ୍ରଦାନ କରିଥିଲେ। ସେ ଦଳରେ ଅନେକ ପ୍ରମୁଖ ପଦବୀରେ ଅବସ୍ଥାପିତ ହୋଇଛନ୍ତି।

Share