ଟାଇଟାନିକ୍‌ ପୂର୍ବରୁ ବୁଡ଼ିଥିଲା ସୁନା ଭର୍ତ୍ତି ଜାହାଜ

ସାନ୍‌ ଫ୍ରାନ୍ସିସ୍‌ସ୍କୋ,୧୮ା୧୧: ଟାଇଟାନିକ ଦୁର୍ଘଟଣା(୧୯୧୨ ଏପ୍ରିଲ ୧୪-୧୫)ର ବହୁ ପୂର୍ବରୁ ଆମେରିକାର ସବୁଠାରୁ ଚର୍ଚ୍ଚିତ ଜାହାଜ ଦୁର୍ଘଟଣା ଥିଲା ‘ଏସ୍‌ଏସ୍‌ ସେଣ୍ଟ୍ରାଲ ଆମେରିକା’। ୧୮୫୭ ସେପ୍ଟେମ୍ବର ମାସରେ ଦକ୍ଷିଣ କାରୋଲିନା ଉପକୂଳରେ ଭୟଙ୍କର ସାମୁଦ୍ରିକ ଝଡ଼ର ଶିକାର ହୋଇ ଏହି କାଠ ନିର୍ମିତ ବାଷ୍ପଚାଳିତ ଜାହାଜଟି ସମୁଦ୍ର ଗର୍ଭରେ ବୁଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ୪୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ଏବଂ ସେତେବେଳର ପ୍ରାୟ ୧.୨ ନିୟୁତ ଡଲାର ମୂଲ୍ୟର ସୁନା (ଯାହାର ବର୍ତ୍ତମାନ ମୂଲ୍ୟ ପ୍ରାୟ ୨୩୬ ନିୟୁତ ଡଲାର) ସମୁଦ୍ରରେ ହଜି ଯାଇଥିଲା।
ସାନ୍‌ ଫ୍ରାନ୍ସିସ୍କୋରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏହି ଜାହାଜରେ ଥିବା ସୁନା ଆମେରିକାର ବ୍ୟାଙ୍କଗୁଡ଼ିକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ନିଆଯାଉଥିଲା। ଜାହାଜଟି ବୁଡ଼ିଯିବା ଫଳରେ ସେତେବେଳେ ଆମେରିକାରେ ଏକ ବଡ଼ ଧରଣର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା।
ଦୀର୍ଘ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ନିଖୋଜ ରହିବା ପରେ ୧୯୮୦ ଦଶକରେ ସନ୍ଧାନକାରୀ ଟମି ଗ୍ରେଗୋରୀ ଥମ୍ପସନ ଏବଂ ତାଙ୍କ ଦଳ ଅତ୍ୟାଧୁନିକ ସୋନାର ଟେକ୍ନୋଲୋଜି ଓ ଗାଣିତିକ ସୂତ୍ର ବ୍ୟବହାର କରି ୧୯୮୮ରେ ଏହି ଜାହାଜର ଭଗ୍ନାବଶେଷକୁ ଖୋଜି ବାହାର କରିଥିଲେ।
ସମୁଦ୍ର ତଳୁ ବିପୁଳ ପରିମାଣର ସୁନା ମୁଦ୍ରା ଓ ଇଟା ଉଦ୍ଧାର କରାଯାଇଥିଲା, ଯାହା ୨୦୦୦ ମସିହାରେ ପ୍ରାୟ ୫୦ ନିୟୁତ ଡଲାରରେ ବିକ୍ରି ହୋଇଥିଲା। କିନ୍ତୁ ଏହି ସୁନା ମିଳିବା ପରେ ଦଶନ୍ଧି ଧରି ଆଇନଗତ ବିବାଦ ଆରମ୍ଭ ହୋଇଥିଲା। ପ୍ରଥମେ ବୀମା କମ୍ପାନୀଗୁଡ଼ିକ ଏବଂ ପରେ ନିବେଶକ ଓ କର୍ମଚାରୀମାନେ ସୁନା ଉପରେ ନିଜର ଅଧିକାର ଦାବି କରି ମାମଲା ରୁଜୁ କରିଥିଲେ।
ନିବେଶକଙ୍କୁ ଟଙ୍କା ନଦେଇ ଥମ୍ପସନ ୨୦୧୨ରେ ଫେରାର ହୋଇଯାଇଥିଲେ ଏବଂ ୨୦୧୫ରେ ଗିରଫ ହୋଇଥିଲେ। ଦୀର୍ଘ ବର୍ଷ ଜେଲ୍‌ରେ ରହିବା ପରେ ସେ ଚଳିତ ବର୍ଷ ମାର୍ଚ୍ଚ ମାସରେ ମୁକୁଳିଛନ୍ତି। ତେବେ ଏହି ଐତିହାସିକ ଜାହାଜ ଦୁର୍ଘଟଣା ଓ ଉଦ୍ଧାର କାହାଣୀର ରହସ୍ୟ ଆଜି ବି ସମ୍ପୂର୍ଣ୍ଣ ସମାଧାନ ହୋଇପାରିନାହିଁ, କାରଣ ସେହି ଜାହାଜରୁ ଉଦ୍ଧାର ହୋଇଥିବା ପ୍ରାୟ ୫୦୦ଟି ସ୍ବର୍ଣ୍ଣ ମୁଦ୍ରାର କୌଣସି ପତ୍ତା ଏ ପର୍ଯ୍ୟନ୍ତ ମିଳିପାରିନାହିଁ।

Dharitri – Odisha’s No.1 Odia Daily

Share