ବାଲେଶ୍ୱରର ଜଣେ ବରିଷ୍ଠ ଶିକ୍ଷାବିତଙ୍କ ପରଲୋକ

ବାଲେଶ୍ବର ଅଫିସ,୧୭।୭: ବାଲେଶର ଜିଲାର ଜଣେ ବରିଷ୍ଠ ଶିକ୍ଷାବିତ ଓ ସତ୍ୟସାଇ ଇଞ୍ଜିନିୟରିଂ କଲେଜର ପରିଚାଳନା ନିର୍ଦ୍ଦେଶକ ତଥା ଯୁବ ନେତା ବେଣୁମାଧବ ପଣ୍ଡାଙ୍କ ପରଲୋକ ଘଟିଛି। ବୁଧବାର ରାତି ପ୍ରାୟ ୧୨ଟାରେ ତାଙ୍କର ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତ କିଛି ଦିନ ତଳେ ବେଣୁମାଧବ କରୋନାରେ ଆକ୍ରାନ୍ତ ହୋଇ ପୁଣି ସୁସ୍ଥ ହୋଇଥିଲେ। ତାଙ୍କର ଆରଟିପିସିଆର ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା। ହେଲେ ପରବର୍ତ୍ତୀ ସମୟରେ ତାଙ୍କର ଫୁସ୍‌ଫୁସ ସଂକ୍ରମିତ ହୋଇ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। ଫଳରେ ତାଙ୍କୁ ଭୁବନେଶ୍ବରରୁ ହାଇଦ୍ରାବାଦକୁ ଏୟାରଲିଫ୍ଟ କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗୁରୁବାର ତାଙ୍କ ମୃତଦେହକୁ ବାଲେଶ୍ବର ଅଣାଯିବ। ସୂଚନା ମୁତାବକ ବେଣୁମାଧବ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପୁଅ। ବାଲେଶ୍ବରରେ ସମାଜସେବା ତଥା ରାଜନୀତି କ୍ଷେତ୍ରରେ ସେ ନିଜର ଏକ ପରିଚୟ ସୃଷ୍ଟି କରିପାରିଥିଲେ। ଏହା ସହିତ ସେ ବାଲେଶ୍ବରର ବିଭିନ୍ନ ଅନୁଷ୍ଠାନ ସହିତ ମଧ୍ୟ ଜଡ଼ିତ ଥିଲେ। ତାଙ୍କ ବିୟୋଗରେ ବାଲେଶ୍ୱରରେ ଶୋକର ଛାୟା ଖେଳିଯାଇଛି।