ନବରଙ୍ଗପୁର,୬।୭(ସଦାଶିବ ପ୍ରହରାଜ): ଚାଲୁଥିବା ବେଳେ ହଠାତ୍ ଜଳିଉଠିଲା ସ୍କୁଟି। ଅଳ୍ପକେ ବର୍ତ୍ତିଗଲେ ଶିକ୍ଷକ। ନବରଙ୍ଗପୁର ସହରର ନବରଙ୍ଗପୁର- କୋଷାଗୁମୁଡା ରାସ୍ତାରେ ଥିବା ଡଲଫିନ ରିସର୍ଟ ନିକଟରେ ଏହି ଅଘଟଣ ଘଟିଛି। ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ପୂଜାରୀଗୁଡା ଗ୍ରାମ ବିଦ୍ୟାଳୟର ଶିକ୍ଷକ ସନ୍ଦୀପ ପଣ୍ଡା ପ୍ରତିଦିନ ପରି ନିଜ ସ୍କୁଟିରେ ସ୍କୁଲକୁ ଯାଉଥିଲେ। ଡଲଫିନ ରିସର୍ଟ ନିକଟରେ ପହଞ୍ଚିବା ବେଳେ ହଠାତ୍ ସ୍କୁଟିଟି ବନ୍ଦ ହୋଇଯାଇଥିଲା। କ’ଣ ସମସ୍ୟା ହୋଇଛି ବୋଲି ସେ ଗାଡ଼ିରୁ ଓହ୍ଲାଇ ଦେଖୁଥିବା ବେଳେ ସ୍କୁଟିର ପଛପଟୁ ଧୂଆଁ ବାହାରିବା ସହ ନିଆଁ ଲାଗିଯାଇଥିଲା। ମୁହୂର୍ତ୍ତକ ମଧ୍ୟରେ ନିଆଁ ସମଗ୍ର ସ୍କୁଟିକୁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକେ ଘଟଣା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ନବରଙ୍ଗପୁର ସ୍ଥିତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ସ୍କୁଟିଟି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଥିଲା। ଶିକ୍ଷକ ସନ୍ଦୀପ ପଣ୍ଡା ସୁରକ୍ଷିତ ଥିବାରୁ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।