ମୋଟରସାଇକେଲ ଧକ୍କାରେ ଚାଲିଗଲା ସ୍କୁଲ ଛାତ୍ରୀଙ୍କ ଜୀବନ

ନୂଆଗାଁ,୧୫।୮(ବିଜୟ ତ୍ରିପାଠୀ )ମୋଟର ସାଇକେଲ ଧକ୍କାରେ ଚାଲିଗଲା ସ୍କୁଲ ଛାତ୍ରୀଙ୍କ ଜୀବନ। ମୃତ ଛାତ୍ରୀ ଜଣକ ହେଉଛନ୍ତି ସୁନ୍ଦରଗଡ ଜିଲା ନୂଆଗାଁ ବ୍ଲକ ହାତିବାରୀ ଥାନା ଅନ୍ତର୍ଗତ ଟିସ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ରାକ୍ଷୀ ପ୍ରଧାନ। ରାକ୍ଷୀଙ୍କୁ ୧୨ବର୍ଷ ବୟସ ହୋଇଥିଲା। ସେ ମଙ୍ଗଳବାର ଗାଡି ଧକ୍କାରେ ମୃତ୍ୟୁବରଣ କରିଥିଲେ। ଏଭଳି ଦୁଃଖଦ ଖବର ଶୁଣି ହାତିବାରୀ ଓ ପୁରୁଣାପାଣି ଅଞ୍ଚଳରେ ଛାତ୍ରୀଛାତ୍ର ତଥା ଅଭିଭାବକଙ୍କ ମହିଲରେ ଶୋକର ଛାୟା ଖେଳିଯାଇଛି।
ସୂଚନା ମୁତାବକ ପୁରୁଣାପାଣି ନିକଟସ୍ଥ ଟିସ୍କ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ରାକ୍ଷୀ ସ୍କୁଲରେ ସ୍ବାଧୀନତାଦିବସ ପାଳନ କରିଥିଲେ। ସ୍କୁଲ କାର୍ଯ୍ୟକ୍ରମ ସରିବାପରେ ମାଧ୍ୟାହ୍ନ ଭୋଜନ ଖାଇ ନିଜ ନିଜ ଘରକୁ ବାହାରିଥିଲେ। ଏହି ସମୟରେ ପୁରୁଣାପାଣିରୁ ହାତିବାରୀ ଆଡକୁ ଏକ ପୋଲସୋର ମୋଟରସାଇକେଲ ଓଡି୧୪ଏଏ୪୦୭୮ ଦ୍ରୁତବେଗରେ ଆସି ରାକ୍ଷୀଙ୍କୁ ଧକ୍କା ଦେଇଥିଲା।
ଫଳରେ ରାକ୍ଷୀ ରାସ୍ତା ଉପରେ କଚାଡି ପଡିଥିଲେ। ତାଙ୍କୁ ତୁରନ୍ତ ହାତିବାରୀ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିଲା। ହେଲେ ସେଠାରେ ପ୍ରାଥମିକ ଚିକିତ୍ସା କରି ରାଉରକେଲା ସ୍ଥିତ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆର. ଜି. ଏଚ. କୁ ରେଫର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତଘେଷଣା କରିଥିଲେ। ମୃତ ଛାତ୍ରୀଜଣକ ପୁରୁଣାପାଣି ତେତେର ହାଟିଙ୍ଗ ଗ୍ରାମର ସୁରେଶ ପ୍ରଧାନଙ୍କ ଝିଅ l ଏହିଘଟଣା ପରେ ମୋଟରସାଇକେଲ ଚାଳକ ସୁଖନାଥ ମୁଣ୍ଡାରି ଓ ସହଯୋଗୀ କାଲିଚରଣ ମୁଣ୍ଡାରୀଙ୍କୁ ହାତିବାରୀ ଥାନା ପୋଲିସ ଅଟକ ରଖିଛି। ସୁଖନାଥଙ୍କ ଘର ଲାଙ୍କଇ ଗ୍ରାମରେ ହୋଇଥିବା ବେଳେ ତାଙ୍କ ପଛରେ ବସିଥିବା କାଳୀଚରଣଙ୍କ ଘର ମଣ୍ଡପ ଗ୍ରାମରେ ବୋଲି ଜଣାପଡିଛି। ମୋଟରସାଇକେଲଟିକୁ ପୋଲିସ ଜବତ କରି ଘଟଣାର ତଦନ୍ତ କରୁଛି।