ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ ବେଶଭୂଷା ଓ ଭାଷାର ଆକର୍ଷଣ ଥାଏ ସର୍ବକାଳୀନ। ସେଇଥି ପାଇଁ ତ ଏହାର ଅପବ୍ୟବହାର କରନ୍ତି ସାଧୁବେଶୀ ଅସତ୍‌ ଅସାଧୁ। ଅସଲକୁ ଅସାଧୁଙ୍କ ଭିନ୍ନ ପରିଚୟି ହୁଏ ଏଠି ଭଣ୍ଡ ବାବା। ତଥାକଥିତ ଭଣ୍ଡ ବାବାମାତାଙ୍କ ହାଉଯାଉ ଯୋଗୁ ଅସଲ ସାଧୁଙ୍କ ଗରିମା ଓ ମହିମା ଭୂଲୁଣ୍ଠିତ ହୁଏ। ଆଜି ସମାଜର ସବୁ ସ୍ତରରେ ଅସାଧୁ ଭଣ୍ଡ ବାବାଙ୍କ ଆବିର୍ଭାବ ସମାଜ ପାଇଁ ଦୁର୍ଗତିର କାରଣ ସାଜୁଛି। ଏମାନଙ୍କ ମୂଳ ତତ୍ତ୍ୱ ଥାଏ ‘ମୁଖେ ରାମନାମ, ଅନ୍ତର ହାରାମ’।  ଅସଲ ଅସାଧୁଙ୍କ ମନ ଓ ହୃଦୟ ଆଦୌ ସଫା ନ ଥାଏ। ଏମାନେ ସର୍ବଦା ଥାଆନ୍ତି ସୁଯୋଗ ସନ୍ଧନୀ। ଏମାନେ କଥାରେ ସାଧୁବାଣୀ ଥୋଇବେ, କାମରେ ମାରୁନୀତି ଧରିବେ। ଅସାଧୁ କେବେ ସତ୍‌ପଥରେ ନ ଥାନ୍ତି। ଏମାନଙ୍କ ଭିତର ଓ ବାହାର ମଧ୍ୟରେ ନ ଥାଏ ସମାନତା। ଏମାନେ କହନ୍ତି ଯାହା, କରନ୍ତିନି ତାହା। ଯାହା କୁହନ୍ତି ଠିକ୍‌ ତା’ର ବିପରୀତ କାମ କରନ୍ତି। ଅସାଧୁ ସବୁବେଳେ ଥାଆନ୍ତି ମତଲବୀ। ଉପରେ ଭଲଲୋକୀ ଦେଖାଇ ହୋଇ ଭିତରେ ଭିତରେ ତିଆରି ଥାନ୍ତି ଅପରାଧର ସାମ୍ରାଜ୍ୟ। ଅସାଧୁ ଦେଖାଇ ହୁଅନ୍ତି ଦାତା, ଦାନୀ, ଜ୍ଞାନୀ, ମାନୀ ଅନେକ କିଛି। ଅସଲକୁ ଥାନ୍ତି ‘ମାରୁ ମହାପାତ୍ର’। ସାଙ୍ଘାତିକ ଅପରାଧୀ। ସାଧୁରୂପୀ ଅସାଧୁ ଧରା ନ ପଡ଼ିବା ଯାଏ ସାଧୁର ମାନ୍ୟତା ପାଇ ଚାଲନ୍ତି। ଅସାଧୁଙ୍କ ସକଳ କଳା କାରନାମା ଫର୍ଦ୍ଦାଫାଶ ହେଲା ପରେ ବି ଯତପରୋନାସ୍ତି ଚେଷ୍ଟା କରନ୍ତି ନିଜ ସାଧୁତାର ମିଛ ପ୍ରମାଣ ଦେବା ପାଇଁ।
ଏ ଲେଖକ ଦେଖିଛି ଜାଣିଛି ଏମିତି କିଛି ଠକଙ୍କୁ ଯେଉଁମାନେ ତାଙ୍କ ବ୍ୟକ୍ତିଗତ ଜୀବନରେ କେବେ ସ୍ବଚ୍ଛ ନ ଥିଲେ,ଏବେ ବି ନାହାନ୍ତି। ଅଥଚ ଉଚ୍ଚାରଣ କରନ୍ତି ସାଧୁତାର ମହାନ ବାଣୀ। ପୁଣି ଖବରକାଗଜ ପୃଷ୍ଠାରେ ଲେଖାରେ ପରଷି ଦିଅନ୍ତି ଉଚ୍ଚମାନର କଥା ଗାଥା। ଜଣେ ଲେଖକକୁ ଯିଏ ଭଲଭାବେ ଜାଣିଥିବେ ସେ କେମିତିକା, ସେ ମିଛ ଲେଖିଲେ (କହିଲେ) ତାଙ୍କୁ ଜାଣିଥିବା ପାଠକ ମନରେ କ’ଣ ଭାବାନ୍ତର ଜାଗିବ? ସେଇ ମିଛ କୁହାଳିଆ ଲେଖକଙ୍କ ପ୍ରତି। ପ୍ରାକ୍ଟିକାଲ ମଣିଷ ପ୍ରାକ୍ଟିକାଲ କଥା କହିଲେ ତାହା ଶୋଭାପାଏ। ମିଛ ମଣିଷ ଆଦର୍ଶର କଥା କହିବା/ବାଢ଼ିବା ଅତ୍ୟନ୍ତ ଅଶୋଭନୀୟ। ଅରୁଚିକର ମଧ୍ୟ। ବାସ୍ତବ ମଣିଷ ବାସ୍ତବତା ବଖାଣିଲେ ତହିଁରେ ସୁନ୍ଦରତା ଥାଏ। ଆଖିକୁ ସୁନା ଭଳିଆ ଦିଶୁଥିବା ଚକଚକିଆ ପଦାର୍ଥ ଯେମିତି, ଠିକ୍‌ ସେମିତି ଥାଏ ଅସାଧୁଙ୍କ ସାଧୁ ବାଣୀ।
ତେବେ ନିଜେ ପାଳନ କରି ପାଳନୀୟ କଥା ପରଷିଲେ ସେ କଥାର ମହତ୍ତ୍ୱ ପ୍ରତିପାଦିତ ହୋଇଥାଏ। ମହାତ୍ମା ଗାନ୍ଧୀ ନିଜେ ଚିନି ଖାଉଥିବାରୁ ଚିନି ନ ଖାଇବା ପାଇଁ ଜଣକୁ ଲୋଡ଼ିଥିବା ପରାମର୍ଶ ହଠାତ୍‌ ଦେଇପାରି ନ ଥିଲେ। ନିଜେ ଆଗ ମିଠା ବା ଚିନି ଖାଇବା ଅଭ୍ୟାସ ଛାଡ଼ିଲା ପରେ ଯାଇ ମିଠା ନ ଖାଇବାକୁ ପରାମର୍ଶ ଦେବାର ନୈତିକତା ପ୍ରଦର୍ଶନ କରିଥିଲେ। ମୋବାଇଲ ନିଜେ ଦେଖୁଥିବା ମା’ବାପା ବା ଗୁରୁଜନ ପିଲାଙ୍କୁ ମୋବାଇଲଠୁ ଦୂରେଇ ରହିବାକୁ ପରାମର୍ଶ ଦେଲେ ତାହା କେବେ ପ୍ରଭାବଶାଳୀ ହେବ ନାହିଁ। ନିଜେ କୁଅଭ୍ୟାସ ଛାଡ଼ିଲା ପରେ ଯାଇ ଅନ୍ୟକୁ ତାହା ଛାଡ଼ିବାକୁ ପରାମର୍ଶ ଦେଲେ ତା’ର ସୁପ୍ରଭାବ ପଡ଼ିପାରେ। ଅନ୍ୟଥା ନୁହେଁ। ଏଥିପ୍ରତି ସଭିଏ ଏପରି କି ଲେଖକ ମଧ୍ୟ ଧ୍ୟାନ ରଖିବା ବିଧେୟ। କାହିଁକି ନା, ଲେଖକ ବି ଜଣେ ମଣିଷ। ସେ ଠିକା ନେଇ ନାହିଁ, ନିଜେ ପାଳନ କରୁ ନ ଥିବା କଥା ଅନ୍ୟକୁ ପାଳନ କରିବା ପାଇଁ ପରାମର୍ଶ ଦେବାକୁ। ନିଜେ ଯାହା ନ ଥାଇ ତାହା କରିବାକୁ ଅନ୍ୟକୁ କହିଲେ ନିଜ ପରିସର ପରିବେଶରେ ତାଙ୍କୁ ଜାଣିଥିବା ଲୋକଙ୍କ ଦ୍ୱାରା ଲେଖକ ଉପହସିତ ହୋଇପାରନ୍ତି। ହଁ, ଦୂର ପର୍ବତ ସୁନ୍ଦର କଥା ଭଳି ଦୂରସ୍ଥ ପାଠକ ପାଇଁ ଭଲ ଲେଖୁଥିବା ଲେଖକ ଭଲ ହୋଇପାରନ୍ତି। ନିଜ ପରିସରରେ ଅଠିକ୍‌ ଚରିତ୍ରର ଲେଖକଙ୍କ ବ୍ୟକ୍ତିଗତ ଜୀବନ ଜାଣିଥିବା ଲୋକେ ସହଜେ ଗ୍ରହଣ କରି ନ ପାରନ୍ତି ସେ ଲେଖକଙ୍କୁ ଏବଂ ତାଙ୍କ ଆଳଙ୍କାରିକ ତୁଚ୍ଛା କଥା ସମୂହକୁ। ଅନ୍ତତଃ ଲେଖକ ଜଣେ ଭଲ ମଣିଷ ହେବା ଉଚିତ। ଲେଖକ ଅସାଧୁ ହୋଇ ନ ପାରନ୍ତି। ଠିକ୍‌ ସେମିତି ସବୁ ସାଧୁ ସାଧୁ ନ ଥାନ୍ତି। ସାଧୁଙ୍କ ଭିତରେ କିଛି ଭଣ୍ଡ ବି ଥାଆନ୍ତି। ସବୁ ଲେଖକ ସାଧୁ ହେବା ଚାହି। ଅବଶ୍ୟ ଏହା ଲେଖକର ବ୍ୟକ୍ତିଗତ ମତ। ଏହାକୁ କିଏ ଗ୍ରହଣ କରିପାରନ୍ତି, କିଏ ଯେ ଗ୍ରହଣ କରି ନ ପାରନ୍ତି ମଧ୍ୟ।

ଧ୍ରୁବ ଚରଣ ଘିବେଲା
ବଉଦରାଜ, ବୌଦ୍ଧ

ମୋ: ୯୪୩୭୪୭୮୪୬୬

Dharitri – Odisha’s No.1 Odia Daily

Share