କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି। ମୃତଦେହଟି ଏକ ଅଖା ଓ ପ୍ଲାଷ୍ଟିକ ବସ୍ତା ମଧ୍ୟରେ ବନ୍ଧା ହୋଇ ନଦୀ ପାଣିରେ ଭାସୁଥିଲା। ତେବେ ମୃତଦେହଟି ପୁରୁଷଙ୍କର ନା ମହିଳାଙ୍କର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ତାଙ୍କ ପରିଚୟ ମିଳପାରି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଏମ୍ଭି-୬୪/୧୦ ଗ୍ରାମର ଶିବମନ୍ଦିର ନିକଟରେ ପଟେରୁ ନଦୀରେ ଏକ ଅଖା ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ନିକଟକୁ ଯାଇ ଦେଖିବା ବେଳକୁ ବସ୍ତା ଭିତରେ ମଣିଷର ମୃତଦେହ ଥିବା ଜଣାପଡ଼ିଥିଲା।
ସ୍ଥାନୀୟ ଲୋକେ ତୁରନ୍ତ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ କାଲିମେଳା ଓ ପଟେରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। କାଲିମେଳା ଅଗ୍ନିଶମ କର୍ମଚାରୀ ମୃତଦେହ ଜବତ କରିଥିଲେ। ମୃତଦେହ ଅଖା ଭିତରେ ହାତ ଓ ଗୋଡ଼ ବନ୍ଧା ଅବସ୍ଥାରେ ରହିଥିଲା।
ମୃତଦେହ ଚିହ୍ନଟ ଓ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ସାଇଣ୍ଟିଫିକ ଟିମ୍ର ସହାୟତା ନିଆଯାଇଛି। ମୃତଦେହ କେଉଁଠାରୁ ଆସିଲା, ମୃତକଙ୍କ ପରିଚୟ କ’ଣ ଏବଂ କେଉଁ ପରିସ୍ଥିତିରେ ମୃତଦେହଟି ନଦୀରେ ପହଞ୍ଚିଲା ସେସବୁ ଦିଗକୁ ନେଇ ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ମୃତକଙ୍କ ପରିଚୟ ଜଣାପଡ଼ିବା ପରେ ଘଟଣାର ସମ୍ପୂର୍ଣ୍ଣ ରହସ୍ୟ ଉନ୍ମୋଚନ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।