ଆମେରିକାରେ ସଶସ୍ତ୍ର ବିକ୍ଷୋଭ ଆଶଙ୍କା

ଓ୍ବାଶିଂଟନ, ୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଜାନୁୟାରୀ ୬ ଭଳି ହିଂସାତ୍ମକ ବିକ୍ଷୋଭ ଓ ଟ୍ରମ୍ପ୍‌ ସପକ୍ଷ ରାଲି ବାହାରିବା ସମ୍ଭାବନା ଥିବାରୁ ୫୦ଟି ରାଜ୍ୟର ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ରାଜଧାନୀ ସହରଗୁଡ଼ିକରେ ବାରିକେଡ୍‌ ନିର୍ମାଣ କରାଯିବା ସହ ହିଂସାତ୍ମକ ଆକ୍ରମଣ ରୋକିବା ଲାଗି ନ୍ୟାଶନାଲ୍‌ ଗାର୍ଡମାନଙ୍କୁ ଡକାଯାଇଛି। ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ୨୦ରେ ଶପଥ ନେବାକୁ ଥିବାବେଳେ ୧୬ରୁ ପ୍ରତି ରାଜ୍ୟ ରାଜଧାନୀରେ ବିକ୍ଷୋଭ ଆରମ୍ଭ ହେବା ସମ୍ଭାବନା ଥିବା ଏଫ୍‌ବିଆଇ ସତର୍କ କରିଦେଇଛି। ଟ୍ରମ୍ପ୍‌ଙ୍କ ମିଛ ଭୋଟ ଜାଲିଆତି ଅଭିଯୋଗକୁ ତାଙ୍କ ସମର୍ଥକମାନେ ବିଶ୍ୱାସ କରୁଥିବାରୁ ସେମାନେ ହିଂସାକାଣ୍ଡ ଘଟାଇପାରନ୍ତି।
ମିଚିଗାନ, ଭର୍ଜିନିଆ, ଓ୍ବିସ୍‌କନ୍‌ସିନ୍‌, ପେନ୍‌ସିଲଭାନିଆ ଏବଂ ଓ୍ବାଶିଂଟନରେ ସୁରକ୍ଷା ବଢ଼ାଇବା ପାଇଁ ନ୍ୟାଶନାଲ ଗାର୍ଡଙ୍କୁ ନିୟୋଜିତ କରାଯାଇଥିବାବେଳେ ଟେକ୍ସାସ୍‌ ଶନିବାରଠାରୁ ଶପଥ ଗ୍ରହଣ ଉତ୍ସବ ପର୍ଯ୍ୟନ୍ତ ଏହାର ରାଜଧାନୀକୁ ବନ୍ଦ କରିଦେଇଛି। ହିଂସାକାରୀ ଉଗ୍ରପନ୍ଥୀମାନେ ଅଷ୍ଟିନ୍‌ରେ ଯୋଜନାବଦ୍ଧ ସଶସ୍ତ୍ର ବିକ୍ଷୋଭ ଜରିଆରେ ଆପରାଧିକ କାର୍ଯ୍ୟ କରିପାରନ୍ତି। ରବିବାର ସବୁ ରାଜ୍ୟରେ ସରକାର ବିରୋଧୀ ବୁଗାଲୁ ମୁଭ୍‌ମେଣ୍ଟ ନାମରେ ରାଲି ବାହାରିବାକୁ ଥିବାରୁ ପୋଲିସ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି।

ଟ୍ରମ୍ପ୍‌ ସ୍ବାସ୍ଥ୍ୟ ଅଧିକାରୀଙ୍କ ଇସ୍ତଫା

ଆମେରିକା ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନରେ ଥିବା ସ୍ବାସ୍ଥ୍ୟସେବା ଅଧିକାରୀ ଭାରତୀୟ ବଂଶୋଦ୍ଭବ ସୀମା ବର୍ମା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୪ ବର୍ଷ ଧରି ଆଡ୍‌ମିନିଷ୍ଟ୍ରେଟର ଅଫ ସେଣ୍ଟର ଅଫ ମେଡିକେୟାର ଏବଂ ମେଡିକେଡ୍‌ ପଦରେ ଥିବା ସୀମା ଗୁରୁବାର ତାଙ୍କ ଇସ୍ତଫା ପତ୍ର ଟ୍ରମ୍ପ୍‌ଙ୍କ ନିକଟକୁ ପଠାଇ ଦେଇଛନ୍ତି। ସୀମା ଗତ ବର୍ଷ ମେ’ରେ ହ୍ବାଇଟ୍‌ ହାଉସ୍‌ର ପ୍ରମୁଖ ସଦସ୍ୟ ଭାବେ କରୋନାଭାଇରସ ଟାସ୍କ ଫୋର୍ସରେ ଟ୍ରମ୍ପ୍‌ଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ।

Share