Categories: ଫୁରସତ

ବିଶ୍ୱ ମାନବୀୟ ଦିବସ: ବିପର୍ଯ୍ୟୟରେ ଆଶାର କିରଣ

୨୦୦୩ ଅଗଷ୍ଟ ୧୯ରେ ଇରାକ ବାଗଦାଦସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବୋମାମାଡ଼ ଯୋଗୁ ଇରାକରେ ଜାତିସଂଘର ମୁଖ୍ୟ ହ୍ୟୁମାନିଟାରିଆନ ବା ମାନବୀୟ କର୍ମୀ ସର୍ଜିୟୋ ବିଏରା ଡି ମିଲୋଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଣୁ ଏହି ଦିନଟିକୁ ବିଶ୍ୱ ମାନବୀୟ ଦିବସ ଭାବେ ପାଳନ କରାଯିବା ଲାଗି ୨୦୦୯ରେ ଜାତିସଂଘ ସାଧାରଣ ପରିଷଦ ନିଷ୍ପତ୍ତି ନେଇଥିଲା। ସେବେଠାରୁ ପ୍ରତିବର୍ଷ ଅଗଷ୍ଟ ୧୯ରେ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ ନେଇ ଏହି ଦିବସ ପାଳନ କରାଯାଉଛି। ମାନବ ସେବାରେ ସାରା ଜୀବନ ସମର୍ପିତ ରହିଥିବା ଏହି ମାନବୀୟ କର୍ମୀଙ୍କୁ ସମ୍ମାନ ଦେବା ସହ ସେବା ଲାଗି ଜୀବନ ଦେଇଥିବା ଏହି କର୍ମୀମାନଙ୍କ ବଳିଦାନକୁ ଏହି ଦିବସରେ ସ୍ମରଣ କରାଯାଏ । କେବଳ ଏମାନେ ନୁହନ୍ତି ପୃଥିବୀରେ ବିଭିନ୍ନ ପ୍ରାନ୍ତରେ ଅସହାୟ ଲୋକମାନଙ୍କ ଜୀବନ ରକ୍ଷା ପାଇଁ ନିଜ ଜୀବନକୁ ବିପଦରେ ପାକାଉଥିବା କର୍ମୀମାନଙ୍କୁ ମଧ୍ୟ ସମ୍ମାନ ଦେବା ଏହି ଦିବସର ଲକ୍ଷ୍ୟ। ଏହା ମାନବ ସମାଜର କଲ୍ୟାଣରେ ଲାଗିଥିବା କର୍ମୀମାନଙ୍କ ମଧ୍ୟରେ ସାହସ ଓ ଉତ୍ସାହ ବଢ଼ାଇଥାଏ। ଆତଙ୍କବାଦୀ ଓ ହିଂସା ଏବେ ବିଶ୍ୱକୁ ମହାସଙ୍କଟରେ ପକାଇଛି। ଏଣୁ ଏ ସ୍ଥିତିରେ ଏମାନେ ଅହରହ କାର୍ଯ୍ୟରତ। ସିରିଆଠାରୁ ଆରମ୍ଭ କରି ଦକ୍ଷିଣ ସୁଦାନ ଓ ମାଳଦ୍ୱୀପରୁ ଆରମ୍ଭ କରି ଅନାହାର ଜନିତ ମୃତ୍ୟୁ ଘଟୁଥିବା ଆଫ୍ରିକାର ବିଭିନ୍ନ ଅଞ୍ଚଳ ଯାଏ ମାନବୀୟ କର୍ମୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଜିର ଦିନରେ ମାନବ ସେବାରେ ଲାଗିଥିବା ଏହି ମାନବୀୟ କର୍ମୀମାନଙ୍କୁ ସମ୍ମାନ ଦେବା ଆମର ନୈତିକ କର୍ତ୍ତବ୍ୟ।

Share