Categories: ଜାତୀୟ

କ୍ୱାଡ୍‌ କାର୍ଯ୍ୟକାରୀ ଗୋଷ୍ଠୀ ଗଢ଼ାହେବ

ନୂଆଦିଲ୍ଲୀ, ୪ା୩(ପି.ଟି.): ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ୱାଡ୍‌ ରାଷ୍ଟ୍ରଗୋଷ୍ଠୀର ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକ ଶୁକ୍ରବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଏହି ଗୋଷ୍ଠୀର ପ୍ରତିଶ୍ରୁତିକୁ ବୈଠକରେ ପୁନର୍ବାର ଦୋହରାଯିବା ସହ ଆଇନର ଶାସନ, ସାର୍ବଭୌମତ୍ୱ, ଆଞ୍ଚଳିକ ସଂହତିକୁ ସମ୍ମାନ ଦେଇ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନକୁ ବହିର୍ବ୍ୟାପାର ମନ୍ତ୍ରୀମାନେ ଦୃଢ଼ ସମର୍ଥନ ଜଣାଇଥିଲେ। ଏହା ପରୋକ୍ଷରେ ଚାଇନାକୁ ଏକ ବାର୍ତ୍ତା ବୋଲି କୁହାଯାଉଛି। ଆତଙ୍କବାଦର ମୁକାବିଲା ଲାଗି କ୍ୱାଡ୍‌ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ ବୋଲି ଏହି ଅବସରରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ତାଙ୍କ ଆମେରିକା ପ୍ରତିପକ୍ଷ ଆଣ୍ଟୋନି ବ୍ଲିଙ୍କେନ୍‌, ଜାପାନ ପ୍ରତିପକ୍ଷ ୟୋଶିମାସା ହାୟାଶି ଏବଂ ଅଷ୍ଟ୍ରେଲିଆର ପେନି ଓଙ୍ଗ୍‌ ଘୋଷଣା କରିଥିଲେ। ଚଳିତ ବର୍ଷ ଜାପାନ ଜି୭ର ଅଧ୍ୟକ୍ଷତା କରୁଥିବାବେଳେ ଭାରତ ଜି୨୦ ଏବଂ ଆମେରିକା ଏପେକ୍‌ (ଏସିଆ-ପାସିଫିକ୍‌ ଇକୋନୋମିକ୍‌ କର୍ପୋରେଶନ)ର ଆୟୋଜନ କରୁଛି। ଏହି ଅବସରରେ କ୍ୱାଡ୍‌ ଏଜେଣ୍ଡା କାର୍ଯ୍ୟକାରୀ କରିବା ଦିଗରେ ଏକାଠି କାମ କରିବାକୁ ମନ୍ତ୍ରୀମାନେ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଏହି ବୈଠକ ପରେ ୪ ବହିର୍ବ୍ୟାପାର ମନ୍ତ୍ରୀ ରାଇସିନା ଡାଇଲଗ୍‌ରେ ଭାଗନେବା ସହ କ୍ୱାଡ୍‌ ସଦସ୍ୟ ରାଷ୍ଟ୍ରଗୁଡ଼ିକର ସ୍ବାର୍ଥର ମିିଳିତ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ବ୍ଲିଙ୍କେନ୍‌ ଏବଂ ଓ୍ବଙ୍ଗ୍‌ ଜି୨୦ ବହିର୍ବ୍ୟାପାର ମନ୍ତ୍ରୀ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିବାବେଳେ ହାୟାଶୀ କ୍ୱାଡ୍‌ ବୈଠକରେ ଯୋଗଦେବାକୁ ନୂଆଦିଲ୍ଲୀ ଆସିଛନ୍ତି।

Share