୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)। ସୂଚନାକ୍ରମେ ୨୦୨୧ ମସିହାରେ ଏକ ବଳାତ୍କାର ମାମଲାରେ ବିଶ୍ୱବିହାରୀ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିଲେ। ଏହି ମାମଲାରେ ୨୦୨୩ ମସିହାରେ ନୂଆପଡ଼ା କୋର୍ଟ ତାଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଥିଲେ। ସେବେଠାରୁ ସେ ଜଣେ କଏଦୀ ଭାବେ କାରାଗାରରେ ରହିଥିଲେ। ସବୁଦିନ ଭଳି ସକାଳ ୮ଟାରେ କାରାଗାର ପରିସରରେ ସଫେଇ କାର୍ଯ୍ୟ ଚାଲିଥିବା ସମୟରେ ସୁରକ୍ଷା କର୍ମୀଙ୍କୁ ଚକ୍‌ମା ଦେଖାଇ କଏଦୀ ଜଣକ ଚମ୍ପଟ ମାରିଥିଲେ। ଜେଲ ସୁପରିଣ୍ଟେଣ୍ଡେଣ୍ଟ ବଳରାମ ବିଶି ଘଟଣାକୁ ସ୍ବୀକାର କରିବା ସହ ତୁରନ୍ତ ହାଇଆଲର୍ଟ ଜାରି କରାଯାଇଛି। ଫେରାର କଏଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ତଲାସୀ ଜୋରଦାର କରାଯାଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସମ୍ପୃକ୍ତ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶି କହିଛନ୍ତି। ତେବେ କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ଉପକାରାଗାରରୁ ଦଣ୍ଡାଦେଶ ପାଇଥିବା କଏଦୀ କିପରି ଫେରାର ହେବାରେ ସଫଳ ହେଲେ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

 

Dharitri – Odisha’s No.1 Odia Daily

 

Share