Posted inଫୁରସତ

ଅନୁଭୂତିରେ ପିକ୍‌ନିକ୍‌

ଶୀତ ଆସିଲେ ପିକ୍‌ନିକ୍‌ ଯିବାର ଉତ୍କଣ୍ଠା ବଢ଼ିଯାଏ। କେବେ ପରିବାର ତ କେବେ ସାଙ୍ଗସାଥୀଙ୍କ ସହ ବିଭିନ୍ନ ସ୍ଥାନରେ ବଣଭୋଜିର ବେଶ୍‌ ଆସର ଜମେ। ହେଲେ ବେଳେବେଳେ ଏହା ଭିତରେ ଏମିତି କିଛି ଘଟଣା ଘଟିଯାଏ, ଯାହାକି ଚିରଦିନ ପାଇଁ ସ୍ମୃତି ହୋଇ ରହିଯାଏ ମନରେ…

ବଦଳି ଯାଇଥିଲା ପିକ୍‌ନିକ୍‌ର ମାହୋଲ
ସନ୍ତୋଷିନୀ ନାହାକ (ବିଜିପୁର, ବ୍ରହ୍ମପୁର)-
୨୦୧୨ ମସିହାର ଘଟଣା। ବଣଭୋଜି ନିମନ୍ତେ ଗଜପତି ଜିଲା ଜିରାଙ୍ଗ ଓ ଖସଡ଼ାକୁ ସପରିବାର ଯାଇଥିଲୁ। ସେଠାରେ ଥିବା ପିକ୍‌ନିକ୍‌ ସ୍ପଟ୍‌ ଖସଡ଼ାରେ ରୋଷେଇ କରି ଅପରାହ୍ନରେ ଖାଇବା କାର୍ଯ୍ୟକ୍ରମ ଥିଲା। ଖୁବ୍‌ ସୁନ୍ଦର ପାହାଡ଼ ଜଙ୍ଗଲଘେରା ସ୍ଥାନ। ଏହାକୁ ଆହୁରି ମନୋରମ କରୁଥିଲା ସେଠାରେ ଥିବା ଏକ ଜଳପ୍ରପାତ, ଯାହାକି ପାଲଟିଥିଲା ପିକ୍‌ନିକ୍‌ର ମୁଖ୍ୟ ଆକର୍ଷଣ। ତେଣୁ ସଭିଏଁ ପ୍ରଥମେ ସେଠାକୁ ଧାଇଁଲେ। ପାଣି ଦେଖି ଛୋଟ ପିଲାମାନେ ଖୁବ୍‌ ଉତ୍ସାହିତ ହୋଇଥିଲେ। ଖୁସି ହୋଇ ମୋର ସମ୍ପର୍କୀୟା ଝିଆରୀ ପାଣି ଭିତରକୁ ଯାଇଥିଲା। ସେ ଝରଣା ପାଣି ମଧ୍ୟକୁ ଯିବା ମାତ୍ରେ ଜଳସ୍ରୋତରେ ଗୋଡ଼ ଖସି ଭାସି ଯାଇଥିଲା। ତା’କୁ ବୁଡୁଥିବାର ଦେଖି ସଭିଏଁ ଚିତ୍କାର କରୁଥିଲେ, ହେଲେ କେହି କିଛି କରିପାରି ନ ଥିଲେ। ଏହି ସମୟରେ ମୁଁ କିଛି ଉପାୟ ନ ପାଇ ତା’କୁ ବଞ୍ଚାଇବା ଲାଗି ପାଣିକୁ ଡେଇଁ ପଡ଼ିଲି ଏବଂ ପହଁରି ପହଁରି ପାଣି ଭିତରକୁ ଯାଇ ଝିଆରୀକୁ ଉଦ୍ଧାର କରିଥିଲି। ସେ ପାଣି ପିଇଦେଇଥିଲା ଏବଂ ଅଳ୍ପ ଆହତ ମଧ୍ୟ ହୋଇଥିଲା। ଏହି ଘଟଣା ପରେ ସେଦିନ ପିକ୍‌ନିକ୍‌ର ମାହୋଲ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ପିଲାଟି ବଞ୍ଚତ୍ଗଲା ବୋଲି ମନରେ ଖୁସି ବି ଥିଲା। ଏହା ମୋ ଜୀବନର ସବୁଠାରୁ ସ୍ମରଣୀୟ ଦିନ। ଏବେ ବି କୌଣସି ବଣଭୋଜି ଯିବା ବେଳେ ସେହି କଥା ମନେ ପଡ଼ି ଭୟ ସଞ୍ଚାର ହୋଇଥାଏ।

ମହୁମାଛିଙ୍କ କବଳରୁ ଆଉ କି ନିସ୍ତାର!
ସୌଦାମିନୀ ବେହେରା (ଅଧ୍ୟାପିକା, ଜଟଣୀ)- ଦିନ ଗଡ଼ିଚାଲେ ସମୟର ସହ। ହେଲେ କିଛି ସ୍ମୃତି ରହିଯାଏ ମାନସ ପଟରେ ସବୁଦିନ ପାଇଁ। ଏମିତି କିଛି ସ୍ମୃତି ଭିତରୁ ମନେପଡୁଛି ଏକ ବଣଭୋଜିର ଘଟଣାଟିଏ। ସେତେବେଳେ ମୁଁ ଦଶମ ଶ୍ରେଣୀର ଛାତ୍ରୀ। କିଛି ସାଙ୍ଗ ଏକ ଡିସେମ୍ବର ଶୀତ ସକାଳକୁ ସ୍ବାଗତ କରି ବାହାରିଲୁ ପିକ୍‌ନିକ କରିବାକୁ। ମୟୂରଭଞ୍ଜ ଜିଲା ପ୍ରକୃତିର ଗନ୍ତାଘର। ରୋଷେଇ ସାମଗ୍ରୀ ଧରି ସବୁ ସାଙ୍ଗ ଚାଲି ଚାଲି ବଣଭୋଜି ସ୍ଥାନରେ ଯାଇ ପହଞ୍ଚତ୍ଲୁ। କିଛି ସମୟ ଗୀତ ପଦ୍ୟାଂଶ, ସିନେମା ଗୀତ, ଗୁଲି ଖଟି କରି ଖୁବ୍‌ ମଜା ଉଠାଇଲୁ। ରୋଷେଇ ଆରମ୍ଭ କରିବାକୁ କିଛି ପିଲା ଝରଣାରୁ ପାଣି ଆଣିବାକୁ ଗଲେ। କିଛି ପିଲା କାଠ ଗୋଟେଇବାକୁ ଗଲେ। ତିନି ଜଣ ରୋଷେଇଶାଳରେ ରହିଲେ। ହଠାତ୍‌ ସବୁ ଓଲଟପାଲଟ ହୋଇଗଲା। ଏବେବି ସେ କଥା ଭାବିଲେ ମୋ ଦେହର ଲୋମ ଟାଙ୍କୁରି ଉଠେ। କିଛି ଗାଈଆଳ ପିଲା ସେଠାରେ ଗାଈ ଚରାଉଥିଲେ। ଆମ ବଣଭୋଜି ସ୍ଥାନଠାରୁ ଅଳ୍ପ ଦୂରରେ ବଡ଼ ବଡ଼ ମହୁଫେଣା ଥିଲା। ସେ ପିଲାମାନେ ଲମ୍ବା ବାଡ଼ି ସାହାଯ୍ୟରେ ମହୁ ଲୋଭରେ ମହୁଫେଣାକୁ ଭାଙ୍ଗିବା ପାଇଁ ଲାଗିପଡ଼ିଲେ। ଜଙ୍ଗଲୀ ବାଘୁଆ ମହୁମାଛିଙ୍କ କବଳରୁ ଆଉ କି ନିସ୍ତାର! ଶହ ଶହ ମହୁମାଛି ବିନ୍ଧିବା ପାଇଁ ସୈନ୍ୟବାହିନୀ ସହ ଉଡ଼ି ଆସିଲେ। ବୋପା ଲୋ, ମାଲୋ କହି ସମସ୍ତେ ଏଣେତେଣେ ଧାଇଁଲେ। ଚାରିଆଡ଼େ ଖାଲି ଚିତ୍କାର। ସେଠାକୁ ଆସିଥିବା ଅନ୍ୟମାନେ ବି କିଛି ବୁଝିବା ପୂର୍ବରୁ ସେମାନେ ବି ମହୁମାଛିମାନଙ୍କର କ୍ରୋଧର ଶିକାର ହେଲେ। ବିକଳରେ କିଏ କେଉଁ ଆଡ଼େ ଧାଇଁଲେ ଜଣାନାହିଁ। କିଛି ସମୟ ପରେ ଆମେ କିଛି ଝିଅ କାଉଲୁବାଉଲୁ ହୋଇ ଭୋଜି ଜିନିଷ ପାଖକୁ ଫେରିଲୁ। ଯାହା ଦେଖିଲୁ ଧୈର୍ଯ୍ୟର ସୀମା ରହିଲା ନାହିଁ। ଚୁଲି ଜାଳରୁ ନିଆଁ ବ୍ୟାପିଯାଇ ପାଖରେ ଥିବା ଶୁଖିଲା ପତରରେ ଲାଗି ପ୍ରାୟ ଚାରିଆଡ଼େ ମାଡ଼ିଯାଉଥାଏ। ଭୋଜି ସାମଗ୍ରୀସବୁ ପୋଡ଼ି ଜଳି ଅଧା ନଷ୍ଟ ହୋଇ ଯାଇଥିଲା। ଆମେ ସବୁ କାନ୍ଦି କାନ୍ଦି ଅନ୍ୟ ସାଙ୍ଗମାନଙ୍କୁ ଖୋଜି ଚାଲିଥିଲୁ। ପରେ ଖବର ପାଇଲୁ, କିଛି ସାଙ୍ଗ ଘରକୁ ଫେରି ଯାଇଛନ୍ତି। ଈଶ୍ୱରଙ୍କର ବୋଧେ ଦୟା ଆସିଗଲା। ସେଇ ସ୍ଥାନକୁ ଆସିଥିବା କିଛି ପର୍ଯ୍ୟଟକ ଆମର ଏ ଅବସ୍ଥା ଦେଖି ଆମକୁ ଡାକିନେଇ ତାଙ୍କ ଭୋଜିରେ ସାମିଲ କରିଥିଲେ। ଖାଇପିଇ ଆସିଲୁ ସତ, କିନ୍ତୁ ସେଦିନର ଘଟଣା ଆଜି ବି ମୋତେ ବିଚଳିତ କରେ।

ସିଧା ପଡିଲି ଲାଇନ୍‌ ଆରପଟେ
ଶିବସୁନ୍ଦର ଦାସ (ଷ୍ଟକ୍‌ ମାର୍କେଟ୍‌ ଟ୍ରେଡର୍‌, ଭୁବନେଶ୍ୱର)- ବୁଲାବୁଲି କରିବାକୁ କିଏବା ଭଲ ନ ପାଏ! ଆଉ ଯଦି ସାଙ୍ଗସାଥୀଙ୍କ ସହ ପିକ୍‌ନିକ୍‌ କରିବାର ସୁଯୋଗ ମିଳେ, ତା’ହେଲେ ଏହାର ଆନନ୍ଦ ଢେର୍‌ ବଢ଼ିଯାଏ। ହେଲେ କେବେକେବେ ଏହା ଭିତରେ ଏମିତି କିଛି ଘଟଣା ଘଟେ, ଯାହାକି ସବୁବେଳେ ମନରେ ଅଭୁଲା ହୋଇ ରହିଯାଏ। ସେମିତି ଏକ ସ୍ମୃତି ମନେପଡୁଛି। ସାଙ୍ଗମାନଙ୍କ ସହ ଜୟଦେବ ବାଟିକାରେ ଭୋଜି କରିବାକୁ ଯାଇଥିଲି। ନାଚ, ଗୀତ, ଥଟ୍ଟାମଜାରେ ସମସ୍ତେ ଏଞ୍ଜୟ କରୁଥିଲୁ। କିଛି ଗେମ୍‌ ମଧ୍ୟ ଚାଲିଥାଏ। ମଝିରେ ଏକ ଲାଇନ୍‌ ଟଣାଯାଇଥିଲା। ଗୋଟେ ପଟେ ପୁଅ ଆଉ ଅନ୍ୟ ପଟେ ଝିଅମାନେ ରହି ଦଉଡ଼ି ଟଣା ଚାଲିଥିଲା। ଯେଉଁ ଟିମ୍‌ର ମେମ୍ବର ଆଗ ଲାଇନ୍‌ କ୍ରଶ୍‌ କରିବେ, ସେମାନେ ହାରିବେ। ଖୁବ୍‌ ଜୋର୍‌ରେ ଦଉଡ଼ିଟଣା ଭିତରେ ଆମ ପୁଅ ଟିମ୍‌ଙ୍କ ଭିତରୁ ଜଣଙ୍କ ହାତ ଖସିଗଲା। ସବୁଠାରୁ ଆଗରେ ମୁଁ ଥିବାରୁ ଭାରସାମ୍ୟ ସମ୍ଭାଳି ନ ପାରି ସିଧା ଯାଇ ପଡିଲି ଲାଇନ୍‌ ଆରପଟେ। ସେଇଠି ଗେମ୍‌ ଓଭର ହୋଇଗଲା ଏବଂ ଖୁବ୍‌ ମଜାମସ୍ତିରେ ଖିଆପିଆ କରି ଘରକୁ ଫେରିଲୁ। ତେବେ ଗେମ୍‌ରେ ତ ହାରିଲୁ ଯେତିକି ମନ ଦୁଃଖ ନ ଲାଗିଲା, ହେଲେ ଝିଅଟିମ୍‌ ପାଖରେ ପଡ଼ିଥିବାରୁ ସେଦିନ ଚିଡ଼େଇ ଚିଡ଼େଇ ସାଙ୍ଗମାନେ ମୋର ଅବସ୍ଥା ଢିଲା କରିଦେଇଥିଲେ। ଏବେବି ସେଦିନର କଥା ମନେପଡ଼ିଲେ ଖୁବ୍‌ ହସ ଲାଗେ।

ସାହାଯ୍ୟ ଦେଇଥିଲା ଆତ୍ମସନ୍ତୋଷ
ବୀରେନ୍‌ ଭୋଇ (ଜୁଜୁମରା, ସମ୍ବଲପୁର)- ପିକ୍‌ନିକ୍‌ ସିଜନ ଆସିଲେ ସାଙ୍ଗମାନେ ମିଶି ବିଭିନ୍ନ ସ୍ଥାନରେ ଭୋଜି କରିଥାଉ। ସେଦିନ ଆମେ ବରଗଡ଼ ଜିଲା ପଦମପୁର ନିକଟସ୍ଥ ନରସିଂହ ନାଥ ମନ୍ଦିରରେ ଭୋଜି ଆୟୋଜନ କରିଥିଲୁ। ସକାଳୁ ସକାଳୁ ସମସ୍ତ ଆବଶ୍ୟକ ସାମଗ୍ରୀ ଧରି ସାଙ୍ଗମାନେ ଏକାଠି ଗାଡ଼ିରେ ବାହାରି ପଡ଼ିଲୁ। ଯିବା ରାସ୍ତାରେ ମନ୍ଦିରଠାରୁ ପ୍ରାୟ ୧୦ କିଲୋମିଟର ପୂର୍ବରୁ ମୁଖ୍ୟ ରାସ୍ତା ଉପରେ ଜଣେ ବାଇକ୍‌ ଆରୋହୀ ଗୁରୁତର ଅବସ୍ଥାରେ ପଡ଼ିଥିଲେ। କିଛି ଦୂରରେ ତାଙ୍କର ବାଇକ୍‌ ପଡ଼ିଥିଲା। ସଙ୍ଗେ ସଙ୍ଗେ ଆମେ ଗାଡ଼ି ଅଟକାଇ ତାଙ୍କ ପାଖକୁ ଧାଇଁଲୁ। ଅଚେତ ଅବସ୍ଥାରେ ଥିବାରୁ ସେ କୌଣସି ସୂଚନା ଦେଇ ପାରି ନ ଥିଲେ। ତାଙ୍କ ଠିକଣା ଓ ପରିଚୟ ଖୋଜିବାକୁ ସମୟ ଲାଗିଥିଲା। ପରେ ତାଙ୍କ ପକେଟରୁ ମିଳିଥିବା କାଗଜରେ ଡ୍ୟୁଟିର ଚାଲାଣ ମିଳିଥିଲା। ତୁରନ୍ତ ନିକଟସ୍ଥ ପଦମପୁର ଥାନାକୁ ଯୋଗାଯୋଗ କରିଥିଲୁ। ପୋଲିସ ଆସିବା ପରେ ଆହତ ବ୍ୟକ୍ତି ଜଣଙ୍କ ମଧ୍ୟ ଜଣେ ପୋଲିସ କର୍ମଚାରୀ ଓ ସେ ଡ୍ୟୁଟି ସାରି ଫେରୁଥିବା ଜଣାପଡ଼ିଥିଲା। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଡିକାଲ ପଠାଇଥିଲୁ। ଏସବୁ ଭିତରେ ଅନେକ ସମୟ ଚାଲିଯାଇଥିବାରୁ ଆମେ ଭୋଜିକୁ ଭଲ ଭାବେ ଏଞ୍ଜଏ କରିପାରି ନ ଥିଲୁ ସତ, ହେଲେ ସେହି ପୋଲିସ୍‌ କର୍ମଚାରୀଙ୍କୁ ସାହାଯ୍ୟ କରିଥିବାରୁ ଆତ୍ମସନ୍ତୋଷ ମିଳିଥିଲା। କିଛିଦିନ ପରେ ସେ ସୁସ୍ଥ ହୋଇଥିବା ଜାଣିବାକୁ ପାଇଥିଲୁ ଏବଂ ବହୁତ ଖୁସି ଲାଗିଥିଲା। ସେଦିନର ଘଟଣା ଏବେବି ଅଭୁଲା ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌...

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ...

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା...

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

ମହିଳାଙ୍କୁ ନ୍ୟାୟ ଦେଉଛି ଛାଡ଼ପତ୍ର ମନ୍ଦିର

ଟୋକିଓ: ଜାପାନର କାମାକୁରା ସହରସ୍ଥିତ ମତ୍ସୁଗାଓକା ଟୋକେଇଜି ମନ୍ଦିରକୁ ଛାଡ଼ପତ୍ର ମନ୍ଦିର ବୋଲି ମଧ୍ୟ କୁହାଯାଏ। ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଏବଂ ନିର୍ଯାତନାର ସମ୍ମୁଖୀନ...

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ସନ୍ତୂଷ୍ଟ, ଜାଣନ୍ତୁ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri