Categories: ଜାତୀୟ

ପୂଜାସ୍ଥଳ ଅଧିନିୟମ-୧୯୯୧କୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟରେ ପିଟିଶନ…

ନୂଆଦିଲ୍ଲୀ, ୨୫।୫ : କାଶୀର ପ୍ରସିଦ୍ଧ ଜ୍ଞାନବାପି ମାମଲାର ଶୁଣାଣି ବାରାଣସୀ ଜିଲା କୋର୍ଟରେ ଜାରି ରହିଛି। ଏପରିସ୍ଥଳେ କାଶୀର ଜଣେ ସାଧୁ ସୁପ୍ରିମକୋର୍ଟରେ ପୂଜାସ୍ଥଳ ଅଧିନିୟମ-୧୯୯୧କୁ ଚ୍ୟାଲେଞ୍ଜ କରିଛନ୍ତି। ଅଲ ଇଣ୍ଡିଆର ସନ୍ଥ ସମିତିର ସାଧାରଣ ସମ୍ପାଦକ ଜିତେନ୍ଦ୍ରାନନ୍ଦ ସରସ୍ବତୀ ତାଙ୍କ ଆବେଦନରେ ଏହି କାର୍ଯ୍ୟକୁ ଧର୍ମର ସ୍ବାଧୀନତାର ମୌଳିକ ଅଧିକାରର ଉଲ୍ଲଂଘନ ବୋଲି ଉଲ୍ଲେଖ କରିଛନ୍ତି।

ସୁପ୍ରିମକୋର୍ଟରେ ଏହି ଅଧିନିୟମ ଏବଂ ଏହାର ବିଭାଗକୁ ଚ୍ୟାଲେଞ୍ଜ କରି ସେ ଅଭିଯୋଗ କରିଛନ୍ତି ଯେ ଏହି ଆଇନ ଅନୁଯାୟୀ ସନାତନ ସଂସ୍କୃତି ଏବଂ ସଭ୍ୟତା ନଷ୍ଟ ହେଉଛି। ଏହି ମାମଲାରେ ମୁସଲିମ ପକ୍ଷ ପୂଜାସ୍ଥଳ ଅଧିନିୟମ-୧୯୯୧ ଅନ୍ତର୍ଗତ ଏହାକୁ ଖାରଜ କରିବା ପାଇଁ ଆବେଦନ କରିଥିଲେ। ମୁସଲମାନ ପକ୍ଷୀ ଆଇନଜୀବୀ ଅଭୟ ନାଥ ଯାଦବ ଆବେଦନ କରିଛନ୍ତି ଯେ ଏହି ମାମଲାର ଶୁଣାଣି କୋର୍ଟ କରିବା ଉଚିତ ନୁହେଁ। କାରଣ ଏହି ମାମଲାର ଶୁଣାଣି ପୂଜାସ୍ଥଳ ଅଧିନିୟମ-୧୯୯୧ର ଉଲ୍ଲଂଘନ।

ଜାତୀୟ ରାଜଧାନୀ ଦିଲ୍ଲୀର ବାସିନ୍ଦା ରାଖୀ ସିଂଙ୍କ ଅନୁରୋଧ କ୍ରମେ ବାରାଣାସୀ ସିଭିଲ ଜଜ (ସିନିୟର ଡିଭିଜନ) ରବି କୁମାର ଦିୱାକରଙ୍କ କୋର୍ଟ ଏପ୍ରିଲରେ ଜ୍ଞାନବାପି କମ୍ପ୍ଲେକ୍ସର ଭିଡିଓଗ୍ରାଫି ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତ କହିଛନ୍ତି ଯେ ଯେହେତୁ ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ, ତେଣୁ ଜଣେ ଅଭିଜ୍ଞ ନ୍ୟାୟିକ ଅଧିକାରୀ ଏହାର ଶୁଣାଣି କରିବା ଉଚିତ।

ଜିଲା ଜଜ ଆଠ ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ବିଶ୍ୱ ବୈଦିକ ସନାତନ ସଂଗଠନ କ୍ୟାମ୍ପସ, ପରିସରକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବା ଏବଂ ଏଠାରେ ଥିବା ଶିବଲିଙ୍ଗଙ୍କୁ ନିୟମିତ ପୂଜା କରିବାର ଅଧିକାର ପାଇଁ ଏକ ପିଟିଶନ ଦାଖଲ କରାଯାଇଛି।

ମସଜିଦର ୱଜୁ ଖାନାରେ ଶିବଲିଙ୍ଗ ପାଇଥିବାର ଦାବି ହିନ୍ଦୁ ପକ୍ଷ କରିଥିବାବେଳେ ଏହାକୁ ମୁସଲମାନ ପକ୍ଷ ଅସ୍ବୀକାର କରିଛନ୍ତି ଏବଂ ଏହା ଏକ ଶିବଲିଙ୍ଗ ନୁହେଁ ବରଂ ପାଣିର ଫୁଆରା ବୋଲି କୁହାଯାଇଛି।

Share