ମହରମ୍‌ ତାଜିଆରେ ଚନ୍ଦ୍ରୟାନ-୩ର ଅବିକଳ ନକଲ

ସୋର,୩।୮(ଜନ୍ମେଜୟ ମିଶ୍ର)ସୋର ପୌରପାଳିକା ଅଧୀନ ପାରମହଲା ବସ୍ତିରେ ଏଥର ମହରମ୍‌ ପର୍ବ ପାଳନ ବେଳେ ପରିକ୍ରମା କରୁଥିବା ତାଜିଆରେ ଚନ୍ଦ୍ରୟାନ-୩ର ଅବିକଳ ନକଲ ଦେଖିବାକୁ ମିଳିଛି। ଏବେ ଇସ୍ରୋ ପକ୍ଷରୁ ୩ୟ ଥର ପାଇଁ ପଠାଯାଇଥିବା ଚନ୍ଦ୍ରୟାନ-୩ ପୂର୍ବ ନିର୍ଦ୍ଧାରିତ ସମୟ ନିଘଣ୍ଟରେ ଠିକ୍‌ ଠାକ୍‌ ଆଗଉଥିବା ବେଳେ ଆଗାମୀ ୨୩ ତାରିଖରେ ଚନ୍ଦ୍ର ଉପରେ ସଫଳ ଅବତରଣ କରିବା ନେଇ ବୈଜ୍ଞାନିକଙ୍କ ସହ ଦେଶବାସୀ ନିଶ୍ଚିତ ଅଛନ୍ତି। ଏହି ଏତିହାସିକ ସଫଳତାରେ ଦେଶର ବୈଷୟିକ ଜ୍ଞାନ ଓ ସମ୍ମାନ ବିଶ୍ୱସ୍ତରରେ ଯଥେଷ୍ଟ ବୃଦ୍ଧି ହୋଇଥିବା ବେଳେ ଏହାକୁ ନେଇ ଏକ ପ୍ରତୀକାତ୍ମକ ପ୍ରଦର୍ଶନ ବେଶ୍‌ ନିଖୁଣ ଥିଲା। ଏହାର ଉଚ୍ଚତା ୨୪ ଫୁଟ୍‌ ଥିବା ବେଳେ ଚଉଡା ୫ ଫୁଟ୍‌ ରହିଥିଲା। ଚନ୍ଦ୍ରଯାନର ଉତ୍‌କ୍ଷେପଣ ଢ଼ଙ୍ଗରେ କାଉଣ୍ଟଡାଉନ୍‌ ପରେ ଉତ୍‌କ୍ଷେପଣ କରାଯାଇଥିଲା। ଲୁହା ପାଇପ୍‌, ଟିଣ, ସୋଲରେ ନିର୍ମିତ ଏହି କଳାକୃତି ତିଆରି ପାଇଁ ପ୍ରାୟ ୧ ମାସରୁ ଊର୍ଦ୍ଧ୍ୱ ସମୟ ଲାଗିଥିବା ମୁଖ୍ୟ ବିନ୍ଧାଣୀ ସେକ୍‌ ଆଜାରୁଦ୍ଦିନ୍‌ କହିଛନ୍ତି। ଏଥିରେ ସ୍ଥାନୀୟ ମୁସ୍ଲିକ୍‌ ବନ୍ଧୁଙ୍କ ସହ ତାଙ୍କ କକା ସେକ୍‌ ସାହିରୁଦ୍ଦିନଙ୍କ ଯୋଗଦାନ ଥିବା ସେ କହିଛନ୍ତି। ମହରମ୍‌ ବେଳେ ତାଜିଆ ଶୋଭାଯାତ୍ରାରେ ଏହି ଉତ୍‌କ୍ଷେପଣ ମୁଖ୍ୟ ଆକର୍ଷଣ ଥିଲା। ପୂର୍ବରୁ ଭାରତ ପ୍ରତିରକ୍ଷା ବିଭାଗର ଶକ୍ତିଶାଳୀ ଟ୍ୟାଙ୍କ ଓ ଡାଇନୋସର କରି ବେଶ୍‌ ପ୍ରଶଂସାର ପାତ୍ର ହୋଇଛନ୍ତି ସେକ୍‌ ଆଜାରୁଦ୍ଦିନ୍‌। ଲୋକଙ୍କ ମଧ୍ୟରେ ଦେଶପ୍ରେମର ଉତ୍‌ଥାପନ ପାଇଁ ସେ ଯୁବପପିଢ଼ିଙ୍କୁ ପ୍ରେରଣା ଯୋଗାଇବା ଲକ୍ଷ୍ୟରେ ଏହି କାର୍ଯ୍ୟ କରୁଥିବା କହିଛନ୍ତି।