ଦୀର୍ଘ ୬ ଘଣ୍ଟାର ଅପରେଶନ ସଫଳ: ବୋରଓ୍ବେଲରେ ଫିଙ୍ଗି ଦିଆଯାଇଥିବା ନବଜାତକ ଜୀବିତ ଅବସ୍ଥାରେ ଉଦ୍ଧାର

ସମ୍ବଲପୁର,୧୨।୧୨: ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଥିବା ଏକ ବୋରଓ୍ବେଲ ମଧ୍ୟରେ କେହି ଫିଙ୍ଗି ଚାଲିଯାଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏନେଇ ଜଣାପଡ଼ିବା ପରେ ଦୀର୍ଘ ୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ତେବେ ଉଦ୍ଧାର ହେବା ପରେ ଶିଶୁଟିକୁ ଡାକ୍ତରଖାନା ନିଆଯାଇଛି।

ମଙ୍ଗଳବାର ଅପରାହ୍ନରେ ଉକ୍ତ ବୋରଓ୍ବେଲ ମଧ୍ୟରେ ନବଜାତକର କାନ୍ଦ ଶୁଣିବାକୁ ମିଳିଥିଲା। କିଛି ଲୋକ ଶିଶୁଟିଏ ଖସି ପଡ଼ିଛି ବୋଲି ଜାଣିପାରି ପୋଲିସ ଏବଂ ପ୍ରଶାସନକୁ ଖବର ଦେଇଥିଲେ। ଏହାପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ପୋଲିସ, ଓଡ୍ରାଫ ଏବଂ ଅଗ୍ନିଶମ ଟିମ୍‌ ପହଞ୍ଚିଥିଲେ। ୩ ଜେସିବି ସହାୟତା ଲୋଡ଼ା ଯାଇଥିଲା। ଆମ୍ବୁଲାନ୍ସ ମଧ୍ୟ ଛିଡ଼ା ହୋଇ ରହିଥିଲା। ବିଳମ୍ବ ନକରି ପ୍ରଥମେ ବୋରଓ୍ବେଲକୁ ଅକ୍ସିଜେନ ଦିଆଯାଇଥିଲା। ପାଇପ୍‌ ମଧ୍ୟରେ ଜାକି ହୋଇ ରହିଥିବା ଛୁଆଟିର ମୁଣ୍ଡ ତଳକୁ ଥିଲା। ହେଲେ ସେ କାନ୍ଦୁଥିବାରୁ ଆଶା ବଢ଼ିଥିଲା। ରାତି ହେବା ସତ୍ତ୍ୱେ ଲାଇଟ୍‌ ଲଗାଯାଇ ଅପରେଶନ ଜାରି ରହିଥିଲା। ମାଟି ଖୋଳା ଶେଷ ହେବା ପରେ ଲୁହା ପାଇପ୍‌କୁ କଟାଯାଇ ସତର୍କତାର ସହ ଶିଶୁଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି।