ମୋରଡ଼ା,୨୮ା୨(ସ୍ମାରକ ମାଜୀ): ପୁଣି ଅଲୋଡ଼ା ହୋଇଛି ଶିଶୁକନ୍ୟା। ଏକ ନବଜାତ ଶିଶୁକନ୍ୟାକୁ କେହି ବୁଦାମୂଳରେ ଫିଙ୍ଗି ଦେଇଥିବାବେଳେ କାନ୍ଦ ଶୁଣି ଶନିବାର ଉଦ୍ଧାର କରିଛନ୍ତି ଆଶାକର୍ମୀ।
ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଝିଙ୍କିରିଆ ଗ୍ରାମର ଆଶାକର୍ମୀ ସାବିତ୍ରୀମଣୀ ଜେନାଙ୍କ ଘର ବାଡ଼ି ପଛ ପଟେ କେହି ଜଣେ ନବଜାତ ଶିଶୁକନ୍ୟାକୁ ପକାଇ ପଳାଇଥିଲେ। ଆଶାକର୍ମୀ ସାବିତ୍ରୀମଣୀଙ୍କ ଝିଆରୀ ବାଡ଼ି ପଛପଟୁ ଗୋଟିଏ ଛୋଟ ଛୁଆର କାନ୍ଦ ଶୁଣି ଯାଇ ଦେଖିବାକୁ ପାଇଥିଲେ ଲଟାବୁଦା ଭିତରେ ଜଣେ ଶିଶୁକନ୍ୟାକୁ। ସଙ୍ଗେ ସଙ୍ଗେ ଝିଆରୀ ଶୁଭଶ୍ରୀ ଜେନା ଆଶାକର୍ମୀଙ୍କୁ ଘଟଣା ବାବଦରେ ଜଣାଇଥିଲେ। ଆଶାକର୍ମୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରି ଆମ୍ବୁଲାନ୍ସ ଯୋଗେ କିଷାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ପରେ ସୁପରଭାଇଜର ଶୁଭଶ୍ରୀ ଦଳାଇ ଡାକ୍ତରଖାନାରେ ପହଞ୍ଚି ଶିଶୁର ଉତ୍ତମ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ। ତେବେ ଶିଶୁଟିର ମୁହଁ ଓ ଦେହରେ ମାଟି ଲାଗିଥିବା ସହିତ ଅନେକ ସ୍ଥାନରେ କ୍ଷତ ଥିବା ଦେଖିବାକୁ ମିଳିଛ। ସବୁଠାରୁ ବଡ଼ କଥା ହେଲା ଯେ କେହି ବି ଉକ୍ତ ଶିଶୁକନ୍ୟାକୁ ଅଲୋଡ଼ା କରିଛି, ସେ ଭଲ ଭାବରେ ଜାଣି ଶିଶୁକନ୍ୟାକୁ ଆଶାକର୍ମୀଙ୍କ ବାଡ଼ିରେ ପକାଇଛି। ତେବେ ଶିଶୁକନ୍ୟା ମେଡିକାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ଥିବା ଜଣାପଡ଼ିଛି। ଶିଶୁକନ୍ୟାର ଓଜନ ୨ କିଲୋ ୩୪୫ ଗ୍ରାମ ରହିଛି। ଶିଶୁକନ୍ୟାର ଚିକିତ୍ସା ପରେ ବାରିପଦାସ୍ଥିତ ସିଡ଼ବ୍ଲ୍ୟୁସିକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ସୁପରଭାଇଜର। ତେବେ ଶିଶୁ କନ୍ୟାକୁ କିଏ ଓ କାହିଁକି ଏପରି ପକାଇ ପଳାଇଛି ତାହା ଏବେ ତଦନ୍ତ ସାପେଷ।

