ଇସ୍ରାଏଲ୍‌ରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ

ଜେରୁଜେଲମ,୧୭।୩: ସାରା ବିଶ୍ୱରେ ପୁଣି ଥରେ କରୋନା ପ୍ରକୋପ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନରୁ ଚାଇନାରେ ଲଗାତାର ୩ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୋଟିଏ ପଟେ ଚାଇନାରେ କରୋନା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ଇସ୍ରାଏଲ୍‌ରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ କରାଯାଇଛି। ବୁଧବାର ଇସ୍ରାଏଲ୍‌ରେ କୋଭିଡ-୧୯ର ନୂଆ ଭାରିଆଣ୍ଟର ୨ଟି ମାମଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି। ତେବେ ଦେଶରେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟ ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍‌ର ନୂତନ ଷ୍ଟ୍ରେନ୍‌ ଓମିକ୍ରନର ୨ଟି ସବ୍‌-ଭାରିଆଣ୍ଟ ସହିତ ଜଡିତ। ଏହି ଦୁଇଟି ସବ୍‌-ଭାରିଆଣ୍ଟ BA.୧ ଓ BA.୨ ଭାବରେ ଜଣାଶୁଣା। ନୂଆ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ୨ଜଣ ବ୍ୟକ୍ତି ଇସ୍ରାଏଲର ବେନ ଗୁରିଅନ ବିମାନବନ୍ଦରରେ ପହଞ୍ଚିଥିଲେ। ଏହି ଦୁଇ ଯାତ୍ରୀଙ୍କ ଯାଞ୍ଚ ସମୟରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ତେବେ ଏହି ଆକ୍ରାନ୍ତଙ୍କଠାରେ ଜ୍ୱର, ମୁଣ୍ଡବିନ୍ଧା ଏବଂ ମାଂସପେଶୀ ଡିଷ୍ଟ୍ରୋଫିର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା। ସବୁଠାରୁ ବଡ଼ ଆଶ୍ୱସ୍ତିକର ବିଷୟ ହେଉଛି ଯେ, ଏହିପରି ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ଆବଶ୍ୟକ ପଡ଼ୁନାହିଁ ବୋଲି ଇସ୍ରାଏଲ୍‌ର ମହାମାରୀ ପ୍ରତିକ୍ରିୟା ମୁଖ୍ୟ ସଲମାନ ଜରକା ସୂଚନା ଦେଇଛନ୍ତି।

Share