ମୁଁ ସୁନ୍ଦର ନୁହେଁ, ମୁଁ ମରିଯିବାକୁ ଚାହେଁ, ଏମିତି କହି ୩ ଥର ଆତ୍ମହତ୍ୟା ଉଦ୍ୟମ କଲେଣି NEET ଛାତ୍ରୀ, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୧୨ା୧୧: ଉତ୍ତରପ୍ରଦେଶର ଗୋରଖପୁରରେ ରହୁଥିବା ଜଣେ ୧୯ ବର୍ଷୀୟା ଛାତ୍ରୀ, ଯିଏ କି ଡାକ୍ତରୀ ପ୍ରବେଶିକା ପରୀକ୍ଷା (NEET) ପାଇଁ ପ୍ରସ୍ତୁତ ହେଉଛନ୍ତି, ନିଜର ରୂପକୁ ନେଇ ଏପରି ଏକ ମାନସିକ ସ୍ଥିତି ଦେଇ ଗତି କରୁଛନ୍ତି ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ନିଜକୁ ଯଥେଷ୍ଟ ସୁନ୍ଦରୀ ବୋଲି ମନେ ନ କରି ସେ ଗତ ଦୁଇ ବର୍ଷ ମଧ୍ୟରେ ତିନିଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି।

ଛାତ୍ରୀ ଜଣକ ଜଣେ ମନୋବିଜ୍ଞାନୀଙ୍କୁ ନିଜର ମାନସିକ ଯନ୍ତ୍ରଣା ବିଷୟରେ କହିଛନ୍ତି, ‘ସମସ୍ତେ କୁହନ୍ତି ଯେ ମୁଁ ସୁନ୍ଦରୀ, କିନ୍ତୁ ଯେତେବେଳେ ମୁଁ ଦର୍ପଣରେ ନିଜକୁ ଦେଖେ, ମୋତେ ନିଜେ ଜଣେ ଅସୁନ୍ଦର ବ୍ୟକ୍ତି ନଜର ଆସନ୍ତି। ମୁଁ ତିନିଥର ନିଜ ଜୀବନ ନେବାକୁ ଚେଷ୍ଟା କରିଛି, କିନ୍ତୁ ପ୍ରତିଥର ଭାଗ୍ୟ ମୋତେ ବଞ୍ଚାଇ ଦେଇଛି। ସକାଳେ ଶେଯରୁ ଉଠିବା ମାତ୍ରେ ହିଁ ମୋର ଏହି ଯନ୍ତ୍ରଣା ଆରମ୍ଭ ହୋଇଯାଏ।’

ତାଙ୍କର ବାରମ୍ବାର ଆତ୍ମହତ୍ୟା ଉଦ୍ୟମ ଯୋଗୁ ମାତାପିତା ଅତ୍ୟନ୍ତ ଚିନ୍ତିତ ଏବଂ ଭୟଭୀତ ହୋଇପଡ଼ିଥିଲେ। ଝିଅର ସୁରକ୍ଷା ପାଇଁ ପରିବାରର କେହି ନା କେହି ସର୍ବଦା ତାଙ୍କ ପାଖରେ ରହୁଥିଲେ। କାନପୁର ଏବଂ ଗୋରଖପୁରର ଅନେକ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ମଧ୍ୟ କୌଣସି ଉନ୍ନତି ହୋଇ ନ ଥିଲା। ଶେଷରେ ଏପ୍ରିଲ ୨୦୨୬ରେ ମାତାପିତା ତାଙ୍କୁ ଜଣେ ପ୍ରସିଦ୍ଧ ମନୋବିଜ୍ଞାନୀଙ୍କ ପାଖକୁ ନେଇଗଲେ, ଯେଉଁଠାରେ ସେ ନିଜର ମାନସିକ ସ୍ଥିତି ବିଷୟରେ ବିସ୍ତାର ଭାବରେ ଖୋଲି କହିଥିଲେ।

କାଉନସେଲିଂ ପରେ ମନୋବିଜ୍ଞାନୀ ଜାଣିବାକୁ ପାଇଲେ ଯେ, ଛାତ୍ରୀ ଜଣକ ‘ବଡି ଡିସ୍‌ମୋର୍ଫିକ ଡିସ୍‌ଅର୍ଡର’ (Body Dysmorphic Disorder) ନାମକ ଏକ ଗମ୍ଭୀର ମାନସିକ ସମସ୍ୟାରେ ପୀଡ଼ିତ ଅଛନ୍ତି। ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ସର୍ବଦା ନିଜ ଶରୀର କିମ୍ବା ଚେହେରାର କୌଣସି ନା କୌଣସି ତ୍ରୁଟିକୁ ନେଇ ଅତ୍ୟଧିକ ଚିନ୍ତିତ ରହିଥାନ୍ତି। ଛାତ୍ରୀ ଜଣକ କହିଥିଲେ ଯେ ତାଙ୍କୁ ଲାଗେ ତାଙ୍କ ନାକ ବଙ୍କା, ଚେହେରା ଆକର୍ଷଣୀୟ ନୁହେଁ ଏବଂ ପେଟ ବାହାରକୁ ବାହାରି ରହିଛି। ଏପରିକି କାହାରି ସାମ୍ନାରେ ପଡ଼ିବାର ଭୟରେ ସେ ସର୍ବଦା ଶ୍ରେଣୀଗୃହର ପଛ ଭାଗରେ ବସନ୍ତି।

ପରିବାରର ବ୍ୟାକ୍‌ଗ୍ରାଉଣ୍ଡ୍‌ ଦୃଷ୍ଟିରୁ, ତାଙ୍କ ମା’ ଜଣେ ଶିକ୍ଷୟିତ୍ରୀ ଏବଂ ବାପା ଜଣେ ପ୍ରଶାସନିକ ଅଧିକାରୀ ଅଟନ୍ତି। ପରିବାରରେ ସ୍ନେହ-ଶ୍ରଦ୍ଧା ଏବଂ ଭଲ ବନ୍ଧୁମାନେ ଥିବାରୁ ମଧ୍ୟ ମାନସିକ ରୋଗୀଙ୍କ କ୍ଷେତ୍ରରେ ଏପରି ଅବସାଦ ଦେଖାଦେଇଥାଏ। ତେବେ ମନୋବିଜ୍ଞାନୀଙ୍କ ଦ୍ୱାରା ନିୟମିତ କାଉନସେଲିଂ ଏବଂ ‘କଗ୍ନିଟିଭ୍‌ ବିହେଭିରାଲ ଥେରାପି’ (CBT) ପ୍ରଦାନ କରାଯିବା ପରେ ବର୍ତ୍ତମାନ ତାଙ୍କ ଅବସ୍ଥାରେ ବହୁତ ଉନ୍ନତି ପରିଲକ୍ଷିତ ହୋଇଛି।

Dharitri – Odisha’s No.1 Odia Daily

Share