ପ୍ରତାପଙ୍କ ନାଁରେ ହତ୍ୟା ମାମଲା ଚାଲିବ

ନିଶ୍ଚିନ୍ତକୋଇଲି/ମାହାଙ୍ଗା, ୨୬ା୯ (ଅଶୋକ କୁମାର ମହାପାତ୍ର/ଯଯାତି ସିଂ):ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାର ୧୩ ନମ୍ବର ଅଭିଯୁକ୍ତ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଛି। ବିଧାୟକ ଜେନାଙ୍କ ନାମରେ ଆଇପିସି ଦଫା ୩୦୨, ୧୨୦ ବି ଓ ୫୦୬ (ହତ୍ୟା, ଷଡ଼ଯନ୍ତ୍ର, ହତ୍ୟା ଧମକ ଦେବା) ଅନୁଯାୟୀ ମାମଲା ଚାଲୁ ରହିବ ବୋଲି ଜେଏମ୍‌ଏଫ୍‌ସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେ ବିଧାୟକ ହୋଇଥିବାରୁ ଏହି ମାମଲାକୁ ସାଲେପୁରରୁ ଭୁବନେଶ୍ୱର ଆଡିଶନାଲ ଡିଷ୍ଟ୍ରିକ୍ଟ ସେକ୍ସନ ଜଜ୍‌ କମ୍‌ ସ୍ପେଶାଲ କୋର୍ଟକୁ ସ୍ଥାନାନ୍ତର ପାଇଁ ଜେଏମ୍‌ଏଫ୍‌ସି ଆଦେଶ ଦେଇଛନ୍ତି। ଏହି ସ୍ପେଶାଲ କୋର୍ଟରେ ଏମ୍‌ପି, ବିଧାୟକ ଆଦି ଲୋକପ୍ରତିନିଧିମାନଙ୍କ ବିରୋଧରେ ଥିବା ମାମଲାର ତ୍ୱରିତ ବିଚାର ହୋଇଥାଏ।
ମାହାଙ୍ଗା ଥାନା ଅଧୀନ ନୃତାଙ୍ଗ ପଞ୍ଚାୟତର ଭାଜପା ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ (୭୫) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ (୮୨)ଙ୍କୁ ୨୦୨୧ ଜାନୁୟାରୀ ୨ରେ ହତ୍ୟା କରାଯାଇଥିଲା। ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା କୁଳମଣି ଅଭିଯୋଗ ଆଣିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହୋଇଥିଲା। ଏହି ଘଟଣାରେ ମାହାଙ୍ଗା ବିଧାୟକ ତଥା ତତ୍କାଳୀନ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ପୋଲିସ ରୁଜୁ କରିଥିବା ମାମଲା (ନଂ.୫/୨୧)ରେ ମନ୍ତ୍ରୀ ଜେନାଙ୍କ ନାମ ଅଭିଯୁକ୍ତଙ୍କ ତାଲିକାର ୧୩ ନମ୍ବର ଥିଲା। ମାତ୍ର ପରବର୍ତ୍ତୀ ସମୟରେ ପୋଲିସ ଜେନାଙ୍କ ନାମକୁ ଚାର୍ଜଶିଟ୍‌ରୁ କାଟି ଦେଇଥିଲା। ଏହାକୁ ବିରୋଧ କରି କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ପ୍ରୋଟେଷ୍ଟ ପିଟିଶନ (ନଂ.୨୧୭/୨୧) ଦାଏର କରିଥିଲେ। ମାମଲାର ଶୁଣାଣି କରି ମାଜିଷ୍ଟ୍ରେଟ୍‌ ବିଧାୟକ ଜେନାଙ୍କ ବିରୋଧରେ ଆସିଥିବା ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ମାହାଙ୍ଗା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ବିଧାୟକ ଜେନାଙ୍କ ପିଏ ଉମାକାନ୍ତ ବିଶ୍ୱାଳ(ବାପି), ତତ୍କାଳୀନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ଚନ୍ଦ୍ର ନାୟକ ଏବଂ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ କଲ୍‌ ଡିଟେଲ ରେକର୍ଡ (ସିଡିଆର) ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ବାରମ୍ବାର କୋର୍ଟଙ୍କୁୁ ସମୟ ମାଗି ମାହାଙ୍ଗାର ତତ୍କାଳୀନ ଥାନାଧିକାରୀ ନୀହାର ରଞ୍ଜନ ମହାନ୍ତି ଅଡୁଆରେ ପଡିଥିଲେ। ଥାନା ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜର ହୋଇ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସମୟ ଗଡ଼ାଇବା ଯୋଗୁ କୋର୍ଟ ତାଙ୍କୁ ଭର୍ତ୍ସନା କରିଥିଲେ। ଶେଷରେ ପୋଲିସ ଚାର୍ଜଶିଟ୍‌, ସିଡିଆର ସମେତ ମାମଲାର ଦସ୍ତାବିଜ କୋର୍ଟରେ ଦାଖଲ କରିଥିଲା। ଇତିମଧ୍ୟରେ କୁଳମଣିଙ୍କ ପୁଅ ରମାକାନ୍ତଙ୍କ ମୃତ୍ୟୁ ହେବା ପରେ ତାଙ୍କ ଭାଇ ରଞ୍ଜିତ କୁମାର ବରାଳ ପୁନର୍ବାର ରିଭ୍ୟୁ ପିଟିଶନ ଦାଖଲ କରିଥିଲେ। ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ ଗତ ୧୫ ତାରିଖରେ ବିଧାୟକ ପ୍ରତାପ ଜେନାଙ୍କ ନାମରେ ଉପରୋକ୍ତ ସଙ୍ଗିନ ଦଫାରେ ମାମଲା ଚାଲୁ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉ କି, ନୃତାଙ୍ଗ ପଞ୍ଚାୟତର କୁଳମଣି ଓ ସହଯୋଗୀ ଦିବ୍ୟସିଂହ ଘଟଣାଦିନ ବାଇକ୍‌ରେ ଘରକୁ ଆସୁଥିଲାବେଳେ ଜଁଅକୋଠି ନିକଟରେ ସେମାନଙ୍କୁ ବୀଭତ୍ସ ଭାବେ ଆକ୍ରମଣ କରାଯାଇଥିଲା। ଏଥିରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବିଧାୟକ ଜେନାଙ୍କ ସମେତ ୧୩ ଜଣଙ୍କ ନାମରେ ମାହାଙ୍ଗା ଥାନାରେ ରମାକାନ୍ତ ଅଭିଯୋଗ କରିଥିଲେ। ପୋଲିସ ୯ ଜଣଙ୍କୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ଘଟଣାର କିଛିଦିନ ପରେ ସନ୍ଦେହଜନକ ଭାବେ ଗାଡ଼ି ଚାପାରେ ମୃତ୍ୟୁ ଘଟିଥିଲା। ଅନ୍ୟଜଣେ ଅଭିଯୁକ୍ତ ବିଜୟ କୁମାର ବରାଳ ଏବେ ବି ଫେରାର ଥିବା କୁହାଯାଉଛି। ଏହି ରାଜନୈତିକ ଡବଲ ମର୍ଡର ନେଇ ସେତେବେଳେ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା। ଭାଜପା ଓ କଂଗ୍ରେସ ପକ୍ଷରୁ ତତ୍କାଳୀନ ମନ୍ତ୍ରୀ ଜେନାଙ୍କ ଗିରଫ ଦାବିରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା। ପରେ କୋର୍ଟଙ୍କ ଆଦେଶ ବଳରେ ସାଲେପୁର ଏସ୍‌ଡିପିଓ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରବୀଣ କୁମାର କାନୁନ୍‌ଗୋ କହିଛନ୍ତି ଯେ, ଏହି ରାୟ ଆସିବାପରେ ନ୍ୟାୟିକ ସଂସ୍ଥା ଉପରେ ଲୋକଙ୍କ ବିଶ୍ୱାସ ଓ ଭରସା ବଢ଼ିଛି। ବିଳମ୍ବରେ ହେଲେ ବି ତତ୍କାଳୀନ ଆଇନମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଜେନାଙ୍କ ବିରୋଧରେ କୋର୍ଟ ମାମଲା ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟର ଜୟ ହେବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ବିଧାୟକ ଜେନା କହିଛନ୍ତି ଯେ, ଡବଲ ମର୍ଡର ଘଟଣାରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ। ତାଙ୍କ ବିରୋଧରେ ଭାଜପାର କେତେଜଣ ନେତା ଚକ୍ରାନ୍ତ ଚଳାଇଛନ୍ତି। ବିଶେଷକରି ଗତ ବିଧାନସଭା ନିର୍ବାଚନରେ ତାଙ୍କଠାରୁ ହାରିଥିବା ଭାଜପା ନେତା ଶାରଦା ପ୍ରଧାନ ଏହି ରାଜନୈତିକ ଷଡ଼ଯନ୍ତ୍ର କରିଛନ୍ତି। ଘଟଣାର ଅଭିଯୁକ୍ତମାନେ ଗଣମାଧ୍ୟମ ଆଗରେ ନିଜ ଦୋଷ ସ୍ବୀକାର କରି କେଉଁଥି ପାଇଁ ହତ୍ୟା କରିଥିଲେ ତାହା କହିଥିଲେ। ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବ୍ୟକ୍ତିମାନଙ୍କର ନାର୍କୋ ଟେଷ୍ଟ କରାଯାଉ। ଏହାସହ ତାଙ୍କର ମଧ୍ୟ ନାର୍କୋ ଟେଷ୍ଟ ପାଇଁ ସେ ପ୍ରସ୍ତୁତ ଥିବା ଗଣମାଧ୍ୟମ ଆଗରେ ବିବୃତି ଦେଇ କହିଛନ୍ତି।