ମା’ଙ୍କ ଉତ୍ତମ ଖାଦ୍ୟ ନାତିନାତୁଣୀଙ୍କ ମସ୍ତିଷ୍କକୁ ସୁସ୍ଥ ରଖେ

ନୂଆଦିଲ୍ଲୀ,୭ା୮(ପି.ଟି.): ଜଣେ ମହିଳା ଗର୍ଭଧାରଣର ପ୍ରଥମ ଭାଗରେ ଯଦି ସେଓ ଏବଂ ଗୁଳ୍ମଜାତୀୟ ଖାଦ୍ୟ ଖାଇଥାନ୍ତି, ତେବେ ତାଙ୍କ ପିଲା ଏବଂ ନାତିନାତୁଣୀଙ୍କ ମସ୍ତିଷ୍କ ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖିପାରିବ। ମେଲବୋର୍ନର ମୋନାଶ ୟୁନିଭର୍ସିଟିରେ ଜେନେଟିକ୍‌ ମଡେଲ୍‌ ବ୍ୟବହାରରେ କରାଯାଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି। ମା’ଙ୍କ ଖାଦ୍ୟ କେବଳ ତାଙ୍କ ପିଲାମାନଙ୍କ ମସ୍ତିଷ୍କ ଉପରେ ପ୍ରଭାବ ପକାଏ ନାହିଁ, ବରଂ ତାଙ୍କ ନାତିନାତୁଣୀଙ୍କ ମସ୍ତିଷ୍କକୁ ମଧ୍ୟ ପ୍ରଭାବିତ କରିଥାଏ। କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ ମସ୍ତିଷ୍କର କାର୍ଯ୍ୟ ହ୍ରାସକୁ ରୋକିବାରେ ସହାୟକ ହୋଇପାରେ ବୋଲି ନେଚର ସେଲ୍‌ ବାୟୋଲୋଜିରେ ପ୍ରକାଶିତ ଉକ୍ତ ରିପୋର୍ଟରେ କୁହାଯାଇଛି। ରାଉଣ୍ଡଓ୍ବର୍ମକୁ ଜେନେଟିକ୍‌ ମଡେଲ ଭାବେ ନେଇ ଏହି ଅଧ୍ୟୟନ କରାଯାଇଥିଲା। କାରଣ ରାଉଣ୍ଡଓ୍ବର୍ମର ଅନେକ ଜିନ୍‌ ମାନବ ଶରୀରରେ ଦେଖାଦେଇଥାଏ।

ଗବେଷକମାନଙ୍କ କହିବା ଅନୁଯାୟୀ ସେଓ ଏବଂ ତୁଳସୀ, ରୋଜ୍‌ମେରି, ଥାଇମ୍‌ ଓ ଓରୋଗାନୋ ଆଦି ଗୁଳ୍ମରେ ଥିବା ଅଣୁ ମସ୍ତିଷ୍କର ଯୋଗାଯୋଗ କେବୁଲଗୁଡ଼ିକୁ ଭାଙ୍ଗିବାରୁ ରକ୍ଷା କରିଥାଏ। ଫଳରେ ମସ୍ତିଷ୍କ ଠିକ୍‌ ଭାବେ କାର୍ଯ୍ୟ କରେ। ବରିଷ୍ଠ ପ୍ରଫେସର ରୋଗର ପୋକକ୍‌ ଓ ତାଙ୍କ ଟିମ୍‌ ମସ୍ତିଷ୍କର ସ୍ନାୟୁ ସେଲ୍‌ଗୁଡ଼ିକର ଅନୁଧ୍ୟାନ କରିଥିଲେ, ଯାହା ୮,୫୦,୦୦୦ କିଲୋମିଟର କେବୁଲ (ଆକ୍ସୋନ) ଦେଇ ସେଲ୍‌ଗୁଡ଼ିକୁ ସଂଯୋଗ କରିଥାଏ। ଆକ୍ସୋନଗୁଡ଼ିକ କାର୍ଯ୍ୟକ୍ଷମ ହେବା ଓ ବଞ୍ଚତ୍ରହିବା ପାଇଁ ଜରୁରୀ ଉପାଦାନଗୁଡ଼ିକ ମାଇକ୍ରୋଟୁବୁଲ୍ସ ଥିବା ଆଭ୍ୟନ୍ତରୀଣ ଷ୍ଟ୍ରକ୍ଚର ଦେଇ ପ୍ରବାହିତ ହେବା ଆବଶ୍ୟକ। ତାହା ନ ହେଲେ ଆକ୍ସୋନଗୁଡ଼ିକ ଦୁର୍ବଳ ହୋଇ ମସ୍ତିଷ୍କକୁ ଅକାମୀ ଏବଂ ନ୍ୟୁରୋନାଲ ସେଲ୍‌ଗୁଡ଼ିକର ବିକାଶରେ ବାଧକ ହୋଇଥାଏ ବୋଲି ପୋକକ୍‌ କହିଛନ୍ତି।

Share