ସମ୍ବଲପୁର,୧୪ା୧୧(ପ୍ରମୋଦ ବହିଦାର): ମାସେ ତଳୁ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଛି ସମ୍ବଲପୁର ପୋଲିସ। ମଦ ପିଇବା ସମୟରେ ହୋଇଥିବା ବଚସାରୁ ଜଣେ ଅଭିଯୁକ୍ତ ନିଜ ସାଙ୍ଗକୁ ପଥରରେ ଛେଚି ହତ୍ୟା କରିବା ପରେ ମୃତଦେହକୁ ଏକ ବୁଦାମୂଳରେ ଲୁଚାଇ ଦେଇଥିଲେ। ଏହି ଘଟଣାରେ ପୋଲିସ ଭୂୟାଁପଡ଼ାର ଅଭିଯୁକ୍ତ ଭଗବାନ ତାଣ୍ଡିଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ୨୭ ତାରିଖରେ ବରେଇପାଲି ଥାନାରେ କୃଷ୍ଣାନଗର ଅଞ୍ଚଳର ରାଜେଶ ଗୁପ୍ତା(୩୨) ନିଖୋଜ ଥିବା ନେଇ ତାଙ୍କ ଭାଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରର ବରେଇପାଲି ଥାନାରେ କେସ୍ ନମ୍ବର ୧୬୦/୨୦୨୬ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏ ସମ୍ପର୍କରେ ସୂଚନା ଦେଇ ସମ୍ବଲପୁର ସଦର ଏସ୍ଡିପିଓ ତୋଫାନ ବାଗ କହିଛନ୍ତି ଯେ, ମୃତକ ରାଜେଶ ଜଣେ ଶ୍ରମିକ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ସମ୍ବଲପୁରରେ ସେ ନିଜ ବଡ଼ଭାଇଙ୍କ ଘରେ ରହୁଥିଲେ। ତେବେ ସେ କାମ ପାଇଁ ବିଭିନ୍ନ ସ୍ଥାନକୁ ଯାଇ ୨୦ରୁ ୨୫ ଦିନ ପରେ ଘରକୁ ଫେରୁଥିଲେ। ତେଣୁ ଗତ ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଘରକୁ ଫେରି ନ ଥିଲେ ମଧ୍ୟ ସେ ଘରକୁ ଫେରିଆସିବେ ଭାବି ପରିବାର ଲୋକେ ପ୍ରଥମେ ଅଭିଯୋଗ କରି ନ ଥିଲେ, କିନ୍ତୁ ମାସେ ବିତିଯିବା ପରେ ବରେଇପାଲି ଥାନାରେ ନିଖୋଜ ଏତଲା ଦେଇଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।
ତଦନ୍ତ ଚାଲିଥିବା ବେଳେ ସନ୍ଦେହରେ ପୋଲିସ ଭୂୟାଁପଡ଼ାର ଅଭିଯୁକ୍ତ ଭଗବାନ ତାଣ୍ଡିଙ୍କୁ ଅଟକ ରଖି ପଚରାଉଚରା କରିବାରୁ ସେ ମଦ ନିଶାରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଆଗରେ ରାଜେଶଙ୍କୁ ହତ୍ୟା କରିଥିବା କଥା ସ୍ବୀକାର କରିଥିଲେ। ଏହି ଖବର ପୋଲିସ ପାଖରେ ପହଞ୍ଚିବା ପରେ ସମ୍ବଲପୁର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ବରେଇପାଲି ଓ ଅଇଁଠାପାଲି ଥାନାଧିକାରୀଙ୍କ ସମେତ ଏକ ସ୍ବତନ୍ତ୍ର ଟିମ୍ ଅଭିଯୁକ୍ତକୁ ଧରି ପଚରାଉଚରା କରିଥିଲେ। ଏହାସହ ଅଭିଯୁକ୍ତଙ୍କ ସୂଚନା ଅନୁସାରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଦଳ ଘଟଣାସ୍ଥଳରେ ପହଞ୍ଚିଳଲା ପରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ମୃତଦେହର ଅବଶେଷ(ମୃତଦେହର କଙ୍କାଳ ଓ ହାଡ଼) ଜବତ କରିଛି ପୋଲିସ।
କଙ୍କାଳର ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପାଇଁ ଏଫ୍ଏମ୍ଟି ବିଭାଗକୁ ପଠାଯାଇଛି ବୋଲି ସମ୍ବଲପୁର ଏସ୍ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।

