ଯୁବକଙ୍କ ତଣ୍ଟି କାଟିଦେଲେ ଦୁର୍ବୃତ୍ତ: ରକ୍ତଜୁଡୁବୁଡୁ ଅବସ୍ଥାରେ ରାସ୍ତାକଡ଼ରୁ ମିଳିଲା…

ବୁଗୁଡ଼ା, ୨୦।୧୦(କାଳିଚରଣ ଦାଶ):ଦଶହରା ଭଳି ପବିତ୍ର ପାର୍ବଣ ଦିନରେ ଗଞ୍ଜାମ ଜିଲାର ବୁଗୁଡ଼ା ଥାନା ଅଞ୍ଚଳରେ ଏକ ସନ୍ଦେହଜନକ ହତ୍ୟା ଘଟଣା ସାମ୍ନାକୁ ଆସିଛି। ମୋଟାବାଡ଼ି ରାସ୍ତାର ଲକ୍ଷ୍ମୀପୁର ନିକଟ ରାସ୍ତାକଡ଼ରୁ ରକ୍ତାକ୍ତ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ବୁଗୁଡ଼ା ପୋଲିସ ଉଦ୍ଧାର କରିଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ମୃତ ଯୁବକ ଜଣକ ବୁଗୁଡ଼ା ସହରର ତଳ ଓଡ଼ିଆ ସାହିର ସନ୍ତୋଷ ରାଉତ (୩୨) ବୋଲି ସୂଚନା ମିଳିଛି। ଯୁବକଙ୍କ ତଣ୍ଟିକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ ହତ୍ୟାର ପ୍ରକୃତ କାରଣ ଓ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।
ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରାଯିବା ପରେ ତାହାକୁ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଅଭିଯୁକ୍ତଙ୍କୁ ଚିହ୍ନଟ କରି ଧରିବା ପାଇଁ ମଧ୍ୟ ଉଦ୍ୟମ ଚାଲିଥିବା ଜଣାପଡ଼ିଛି।

ଦଶହରା ପର୍ବକୁ ଦୃଷ୍ଟିରେ ରଖି ବୁଗୁଡ଼ା ପୋଲିସ ପକ୍ଷରୁ ଆପରାଧିକ ଘଟଣା ରୋକିବା ପାଇଁ କଡ଼ା ନଜର ରଖାଯାଇଥିବା ସତ୍ତ୍ୱେ ଏଭଳି ଘଟଣା ପୋଲିସର ଚିନ୍ତା ବଢ଼ାଇଛି। ତଦନ୍ତ ପରେ ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

 

Dharitri – Odisha’s No.1 Odia Daily

 

Share