ଏକ ମିନିଟ୍‌ ନୀରବ ରହିବ ବ୍ରିଟେନ୍‌

ଲଣ୍ଡନ, ୧୩ା୯:ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ୨ୟଙ୍କ ଶେଷକୃତ୍ୟ ପୂର୍ବରୁ ଆସନ୍ତା ରବିବାର ରାତି ୮ଟାରେ ସାରା ଦେଶ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରିବ। ଏ ନେଇ ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ ସୋମବାର ଘୋଷଣା କରିବ। ୧୯ ତାରିଖରେ ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ଆବେରେ ମହାରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ନୀରବ ଶୋକ ପାଳନର ପରିଚାଳନା ପାଇଁ ସ୍ଥାନୀୟ କମ୍ୟୁନିଟି ଗୋଷ୍ଠୀ, କ୍ଲବ୍‌ ଏବଂ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହିତ କରାଯାଇଛି। ଲୋକେ ଘରେ ପରିବାର ସହ କିମ୍ବା ସାଙ୍ଗସାଥୀଙ୍କ ସହିତ ମଧ୍ୟ ୧ ମିନିଟ୍‌ ଶୋକ ପାଳିପାରିବେ। ମହାରାଣୀଙ୍କ ମରଶରୀର ଏଡିନ୍‌ବର୍ଗରେ ରହିଛି। ମଙ୍ଗଳବାର କଫିନ୍‌ ଲଣ୍ଡନରେ ପହଞ୍ଚିବ। ସୋମବାର ବ୍ରିଟେନରେ ସମସ୍ତ ସ୍କୁଲ, କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କିଙ୍ଗ୍‌ ଚାଲର୍‌ସ ୩ୟ ଘୋଷଣା କରିଛନ୍ତି। ମେମୋରିଆଲ ଚାପେଲରେ ରାଣୀଙ୍କ କଫିନ୍‌ ସମାଧି ଦିଆଯିବ।
ଚାଲର୍‌ସ ୩ୟ ସୋମବାର ପ୍ରଥମ କରି ପାର୍ଲାମେଣ୍ଟକୁ ସମ୍ବୋଧିତ କରିଛନ୍ତି। ଚାଲର୍‌ସ ‘ପ୍ରିୟ ମା’ଙ୍କ ଉଦାହରଣ ଦେଇ ସାମ୍ବିଧାନିକ ଶାସନର ମୂଲ୍ୟବାନ୍‌ ସିଦ୍ଧାନ୍ତକୁ ଅନୁସରଣ କରିବେ ବୋଲି କହିଥିଲେ। ଏଥିସହ ହାଉସ୍‌ ଅଫ୍‌ କମନ୍ସରେ ମହାରାଣୀଙ୍କ ଉଦ୍ଦେଶ୍ୟରେ ଶୋକପାଳନ କରାଯାଇଥିଲା।

Share