Categories: ଜାତୀୟ

୨୪ ଘଣ୍ଟାରେ ସର୍ବାଧିକ ୧୭,୨୯୬ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ମୃତ୍ୟୁ ସଂଖ୍ୟା ୧୫ହଜାର ଟପିଲା

ନୂଆଦିଲ୍ଲୀ,୨୬।୬: ଦେଶରେ ଲକ୍‌ଡାଉନ୍‌ ଖୋଲିବାର ୨୫ ଦିନ ବିତିଯାଇଛି। ଇତି ମଧ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୧୭,୨୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୦୭ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଶୁକ୍ରବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୯୦ହଜାର ୪୦୧ ହୋଇଛି। ଏଥିସହ କରୋନାରେ ମୃତ୍ୟୁ ସଂଖ୍ୟା ୧୫ହଜାର ଟପିଛି।

ଦେଶରେ ମହାରାଷ୍ଟ୍ର ସବୁଠାରୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ପାଲଟିଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୭ହଜାରରେ ପହଞ୍ଚିଛି। ସେହିଭଳି ୨୪ ଘଣ୍ଟାରେ ୧୯୨ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୬,୯୩୧ରେ ପହଞ୍ଚିଛି। ମୋଟାମୋଟି ଭାବେ ଦେଖିବାକୁ ଗଲେ ଦେଶରେ ମୋଟ ମୃତ୍ୟୁର ଏକ ତୃତୀୟାଂଶରୁ ଅଧିକ ମହାରାଷ୍ଟ୍ରର ଅଛନ୍ତି।
ସଂକ୍ରମିତ ରାଜ୍ୟଗୁଡ଼ିକ ମଧ୍ୟରେ ଦ୍ୱିତୀୟରେ ରହିଛି ଦିଲ୍ଲୀ। ଏଠାରେ ଦିନକରେ ୩୩୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଇତି ମଧ୍ୟରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୩ହଜାର ୭୮୦ ହୋଇଛି।

ତେବେ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟାର ୫୮% ଅର୍ଥାତ ପ୍ରାୟ ୨ ଲକ୍ଷ ୮୫ହଜାର ୬୭୧ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତ ୨୪ ଘଣ୍ଟାରେ ପ୍ରାୟ ୨୪ହଜାର ରୋଗୀ ଡିସ୍‌ଚାର୍ଜ ହୋଇଛନ୍ତି। ଫଳରେ ଏବେ ଦେଶରେ ୧ ଲକ୍ଷ ୯୦ହଜାର ଆକ୍ଟିଭ୍‌ କେସ୍‌ ରହିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share