ନୂଆଦିଲ୍ଲୀ/ବର୍ଲିନ,୨୭।୧୧(ରଏଟର୍ସ): ପୃଥିବୀ ସୁରକ୍ଷା ବ୍ୟବସ୍ଥାର ପ୍ରଥମ ପରୀକ୍ଷଣ ଭାବେ ୨୦୨୨ରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ‘ଡାର୍ଟ’ ମହାକାଶଯାନ ଧକ୍କାଦେଇଥିବା କ୍ଷୁଦ୍ର ଗ୍ରହାଣୁ (ଆଷ୍ଟେରଏଡ୍) ‘ଡିମୋରଫୋସ୍’ର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଚେପଟା ହୋଇଯିବା ସହ ସେଠାରେ ଏକ ଷ୍ଟାଡିୟମ ଆକାରର ବିଶାଳ ଗର୍ତ୍ତ ସୃଷ୍ଟି ହୋଇଛି ଏବଂ ଏହା ମହାକାଶରେ ଅସନ୍ତୁଳିତ ଭାବେ ଘୂରି ବୁଲୁଛି। ୟୁରୋପୀୟ ମହାକାଶ ଏଜେନ୍ସି (ଇଏସ୍ଏ)ର ‘ହେରା’ ମହାକାଶଯାନ ଦ୍ୱାରା ଉତ୍ତୋଳିତ ଓ ବୁଧବାର ପ୍ରକାଶିତ ନୂତନ ଚିତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ମହାକାଶରେ ଥିବା କୌଣସି ବଡ଼ ପଥର ବା ପିଣ୍ଡର ଦିଗ ବଦଳାଇବା ପାଇଁ ମହାକାଶଯାନକୁ ଏକ ଉପାୟ ଭାବେ ବ୍ୟବହାର କରାଯାଇପାରିବ କି ନାହିଁ ତାହା ପରୀକ୍ଷା କରିବା ପାଇଁ ‘ଡାର୍ଟ’ ମିଶନ ପଠାଯାଇଥିଲା। ପ୍ରାୟ ୪୯୫ ଫୁଟ (୧୫୧ ମିଟର) ଓସାର ବିଶିଷ୍ଟ ଲମ୍ବାଳିଆ ପଥୁରିଆ ଗ୍ରହାଣୁ ‘ଡିମୋରଫୋସ’ ଏହାର ସହଯୋଗୀ ବଡ଼ ଗ୍ରହାଣୁ ‘ଡିଡିମୋସ’ (ଯାହାର ବ୍ୟାସ ୨,୩୯୫ ଫୁଟ ବା ୭୩୦ ମିଟର) ଚାରିପାଖେ ପରିକ୍ରମା କରୁଛି। ବର୍ତ୍ତମାନ ଏହି ଯୋଡ଼ି ପୃଥିବୀଠାରୁ ପ୍ରାୟ ୧୨ କୋଟି ମାଇଲ (୧୯.୩୫ କୋଟି କିଲୋମିଟର) ଦୂରରେ ରହିଛନ୍ତି। ଏଗୁଡ଼ିକ ‘ନିୟର-ଆର୍ଥ ଆଷ୍ଟେରଏଡ୍ସ’ ଭାବେ ଚିହ୍ନଟ କରାଯାଇଥିଲେ ମଧ୍ୟ ଏଥିରୁ ପୃଥିବୀ ପ୍ରତି କୌଣସି ବିପଦ ନାହିଁ। ପୂର୍ବ ତଥ୍ୟରୁ ଡାର୍ଟ ସଫଳତାର ସହ ଡିମୋରଫୋସ୍ର ଗତିପଥ ବଦଳାଇ ଦେଇଥିବା ଜଣାପଡ଼ିଥିବା ବେଳେ ଏହି ଧକ୍କା ଯୋଗୁ ଗ୍ରହାଣୁଟି ଭୌତିକ ଭାବେ କିପରି ପରିବର୍ତ୍ତିତ ହୋଇଛି ତାହା ଏବେ ‘ହେରା’ ନିରୀକ୍ଷଣ କରୁଛି।
‘ଇଏସ୍ଏ’ର ‘ହେରା’ ମିଶନ ବୈଜ୍ଞାନିକ ମାଇକେଲ କୁପର୍ସ କହିଛନ୍ତି, ଧକ୍କା ଲାଗିଥିବା ପାର୍ଶ୍ୱଟି ଏବେ ସମ୍ପୂର୍ଣ୍ଣ ଭାବେ ଏକ ଗର୍ତ୍ତ ଦ୍ୱାରା ଆଚ୍ଛାଦିତ ହୋଇଯାଇଛି ଏବଂ ଦେଖିଲେ ଏପରି ଲାଗୁଛି ଯେପରି ଧକ୍କା ଯୋଗୁ ଗ୍ରହାଣୁର ଏକ ଅଂଶ କଟିଯାଇଛି। ତେବେ ଧକ୍କା ସ୍ଥାନର ବିପରୀତ ପାର୍ଶ୍ୱରେ କୌଣସି ବଡ଼ ପରିବର୍ତ୍ତନର ପ୍ରମାଣ ଦେଖାଯାଇ ନାହିଁ ଏବଂ ଏହି ଦୁଇଟି ପର୍ଯ୍ୟବେକ୍ଷଣର ମିଶ୍ରଣ ବେଶ୍ ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି। ଡିଡିମୋସ ଚାରିପାଖେ ପରିକ୍ରମା ଜାରି ରଖିଥିବା ବେଳେ ଡିମୋରଫୋସ୍ର ପ୍ରାୟ ସମ୍ପୂର୍ଣ୍ଣ ସମ୍ମୁଖ ଭାଗ ଏହି ବଡ଼ ଗର୍ତ୍ତରେ ଢାଙ୍କି ହୋଇଯାଇଛି। ଡିମୋରଫୋସ୍ ଏବେ ବିଶୃଙ୍ଖଳିତ ଭାବେ ଓଲଟପାଲଟ ହୋଇ ଘୂରୁଛି ଏବଂ ଏହି ବ୍ୟବସ୍ଥା ଚାରିପାଖେ ଶହ ଶହ ପଥର ଖଣ୍ଡ ଭାସୁଛି ବୋଲି କୁପର୍ସ ସୂଚନା ଦେଇଛନ୍ତି।
ଏକ ଛୋଟ କାର୍ ଆକାରର ‘ହେରା’ ମହାକାଶଯାନ ବର୍ତ୍ତମାନ ପ୍ରାୟ ୧୫ରୁ ୧୯ ମାଇଲ (୨୫ରୁ ୩୦ କିଲୋମିଟର) ଦୂରତାରୁ ଡିଡିମୋସ୍ ଓ ଡିମୋରଫୋସ୍କୁ ନିରୀକ୍ଷଣ କରୁଛି। ଆସନ୍ତା ମାସରେ ଏହା ଏହି ଯୋଡ଼ିର ୮ ମାଇଲ (୧୩ କିଲୋମିଟର) ନିକଟତର ହୋଇ ଅଧିକ ସ୍ପଷ୍ଟ ଓ ଉଚ୍ଚ-ରିଜୋଲ୍ୟୁଶନ ଚିତ୍ର ସଂଗ୍ରହ କରିବ। ଏହାବ୍ୟତୀତ ଆସନ୍ତା ଜାନୁଆରୀରେ ‘ହେରା’ ଜୋତା ବାକ୍ସ ଆକାରର ଦୁଇଟି କ୍ଷୁଦ୍ର ଉପଗ୍ରହ ବା ‘କ୍ୟୁବ୍ସାଟ୍ସ’ ଛାଡ଼ିବ, ଯାହା ଦୁଇ ଗ୍ରହାଣୁର ଆଭ୍ୟନ୍ତରୀଣ ଗଠନ ଅନୁସନ୍ଧାନ ସମେତ ଅଧିକ ଅଧ୍ୟୟନ ପାଇଁ ଆହୁରି ନିକଟକୁ ଯିବ।
ସୂଚନାଯୋଗ୍ୟ, ‘ଡବଲ ଆଷ୍ଟେରଏଡ୍ ରିଡାଇରେକ୍ସନ ଟେଷ୍ଟ’ (ଡିଏଆର୍ଟି ବା ଡାର୍ଟ) ମହାକାଶଯାନ ୨୦୨୨ ସେପ୍ଟେମ୍ବର ୨୬ରେ ଘଣ୍ଟାପ୍ରତି ପ୍ରାୟ ୧୪,୦୦୦ ମାଇଲ (୨୨,୫୩୦ କିଲୋମିଟର) ବେଗରେ ଡିମୋରଫୋସ୍ ସହ ଧକ୍କା ହୋଇଥିଲା। ଭବିଷ୍ୟତରେ ଯଦି କୌଣସି ଗ୍ରହାଣୁ ପୃଥିବୀ ସହ ଧକ୍କାହେବା ଦିଗରେ ଗତି କରେ, ତେବେ ସେଠାରେ ‘କାଇନେଟିକ ଇମ୍ପାକ୍ଟର’ କୌଶଳ ପ୍ରୟୋଗ କରିବା ପାଇଁ ଏହି ଧକ୍କାର ପ୍ରଭାବ ଓ ଗ୍ରହାଣୁର ଗଠନ ସମ୍ପର୍କରେ ସବିଶେଷ ଅନୁସନ୍ଧାନ ଅତ୍ୟନ୍ତ ଜରୁରୀ ବୋଲି କୁପର୍ସ କହିଛନ୍ତି।