ପାରିବାରିକ କଳହରେ ବିଷ ପିଇ ଜୀବନ ହାରିଲେ ବିବାହିତା ମହିଳା

କୋକସରା,୧୨।୫(ଡି.ଏନ.ଏ) ପାରିବାରିକ କଳହ ଅସହ୍ୟ ହେବାରୁ ମାନସିକ ଚାପରେ ଆସି କୀଟନାଶକ ଔଷଧ ପିଇ ବିବାହିତ ମହିଳା ଆତ୍ମହତ୍ୟା କରିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ଥାନା କନ୍ଦା ବୁଟୁରା ପଞ୍ଚାୟତ ତୁନଗାଁରେ। ଘାସିରାମ ନାଏକଙ୍କ ସ୍ତ୍ରୀ ଡାଳିମ୍ବ ନାଏକ ବୟସ (୨୦) ଶୁକ୍ରବାର ସକାଳେ ପାରିବାରିକ କଳହ କାରଣରୁ କୀଟନାଶକ ଔଷଧ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ କୋକସରା ପୋଲିସକୁ ଏନେଇ ଖବର ଦେବାପରେ କୋକସରା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ଅନ୍ୟପକ୍ଷରେ ମୃତ ଝିଅର ବାପା ଝିଅକୁ ବିଷ ପିଆଇ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମୃତକ ମହିଳାଙ୍କ ସ୍ବାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। କୋକସରା ଥାନା କେଶ୍‌ ନମ୍ବର ୧୩୮/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ଜଣା ପଡିବ ବୋଲି କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି।