Categories: Uncategorized

ସୀମାନ୍ତରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ, ୪ ଯବାନ ଗୁରୁତର

ମାଲକାନଗିରି,୯ା୨(ଡି.ଏନ୍‌.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ପୁଣି ହିଂସା ଘଟାଇଛନ୍ତି। ବିଜାପୁର ଜିଲା ଅସୁର ଏବଂ ଭୋପାଲପଟଣମ୍‌ ଟି-ପଏଣ୍ଟଠାରୁ ମାତ୍ର ୧୦୦ ମିଟର ଦୂରରେ ମାଓବାଦୀମାନେ ଆଇଇଡି ଖଞ୍ଜିଥିଲେ। ମଙ୍ଗଳବାର ସିଆର୍‌ପିଏଫ୍‌-୧୫୩ ବାଟାଲିୟନର ଯବାନମାନେ ଉକ୍ତ ରାସ୍ତାରେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏହି ଆଇଇଡି ବିସ୍ଫୋରଣ ହୋଇଥିଲା। ଫଳରେ ୪ ଯବାନ ଗୁରୁତର ଆହତ ହୋଇଥିଲେ। ସେମାନେ ହେଲେ ଡେପୁଟି କମାଣ୍ଡାଣ୍ଟ ପଲବାନ ବିଶ୍ୱାସ, ଏଏସ୍‌ଆଇ ସଦାଶିବ ଯାଦବ, ମୁଖ୍ୟ କନଷ୍ଟେବଳ ରାଜୀବ ରଞ୍ଜନ ଓ କନଷ୍ଟେବଳ ଓମ୍‌ ପ୍ରକାଶ। ସେମାନଙ୍କୁ ବିଜାପୁର ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନକୁ ଜୋର୍‌ଦାର କରାଯାଇଥିବା ଅତିରିକ୍ତ ଏସ୍‌ପି ପଙ୍କଜ ଶୁକ୍ଲା କହିଛନ୍ତି।