ପୋଖରୀ ହୁଡ଼ାରେ ବିଷ ପିଇ ଜୀବନ ହାରିଲେ ମହିଳା, ପୁରୁଷ

ଲହୁଣୀପଡ଼ା,୧୪।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ ବଡପୁରୁଣାପାଣି ପଞ୍ଚାୟତ ନୂଆଗାଁରେ ଥିବା ଏକ ପୋଖରୀ ହୁଡ଼ାରୁ ମହିଳା ଓ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ନୂଆଗାଁର ଯୋଗେନ୍ଦ୍ର କିଷାନ(୪୮) ଓ ଗାୟିତ୍ରୀ କିଷାନ(୪୨)। ଯୋଗେନ୍ଦ୍ର ବିବାହିତ। ତାଙ୍କର ସ୍ତ୍ରୀ, ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଗାୟିତ୍ରୀ ଅବବାହିତ ଥିଲେ। ଏପରିକି ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ଜଣାପଡିଛି। ଏହାକୁ ଗ୍ରାମର ସରଗୁ କିଷାନ ବିରୋଧ କରୁଥିଲେ। ଏଥିରେ ରାଗିଯାଇ ଯୋଗେନ୍ଦ୍ର ଓ ତାଙ୍କ ପୁଅ ପ୍ରଦୀପ ମିଶି ସରଗୁଙ୍କୁ ଆକ୍ରମଣ କରିଥିଲେ। ଏନେଇ ଗତ ୫ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ସରଗୁଙ୍କୁ ଚିକିତ୍ସା କରାଇବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।
ହେଲେ ଗୁରୁବାର ଅପରାହ୍ନରେ ଯୋଗେନ୍ଦ୍ର ଓ ଗାୟିତ୍ରୀଙ୍କ ମୃତଦେହ ପୋଖରୀ ନିକଟରୁ ପୋଲିସ ଜବତ କରିଥିଲା। ଏପରିକି ପୋଲିସ ଘଟଣାସ୍ଥଳରୁ ଦୁଇଟି ବିଷ ବୋତଲ ଜବତ କରିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ଶୁକ୍ରବାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷେ ଦୁହେଁ କେଉଁ ପରିସ୍ଥିତିରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଲାଇଛି।