ୱାଶିଂଟନ୍, ୧୨ା୬(ଏଜେନ୍ସି):ପ୍ରଶାନ୍ତ ମହାସାଗରର କ୍ରାନ୍ତୀୟ ଅଞ୍ଚଳରେ ‘ଏଲ୍-ନିନୋ’ ସକ୍ରିୟ ହୋଇଥିବା ନେଇ ଆମେରିକାର ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ(ଏନ୍ଓଏଏ)ର ଜଳବାୟୁ ପୂର୍ବାନୁମାନ କେନ୍ଦ୍ର ଗୁରୁବାର ସ୍ପଷ୍ଟ କରିଛି। ‘ଏନ୍ଓଏଏ’ର ପୂର୍ବାନୁମାନ ଅନୁଯାୟୀ, ସକ୍ରିୟ ହୋଇଥିବା ଏହି ଏଲ୍-ନିନୋ ଆଗାମୀ ଶୀତଋତୁ ବେଳକୁ ଆହୁରି ଭୟଙ୍କର ରୂପ ନେବ। ସମୁଦ୍ର ପୃଷ୍ଠର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ଏହା ସାରା ବିଶ୍ୱର ପାଣିପାଗ ଚକ୍ରକୁ ବିଗାଡ଼ିବା ସହ ପୃଥିବୀର ସାଧାରଣ ତାପମାତ୍ରାକୁ ସର୍ବକାଳୀନ ରେକର୍ଡ ସ୍ତରକୁ ନେଇଯିବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। କ୍ଲାଇମେଟ୍ ପ୍ରେଡିକ୍ସନ ସେଣ୍ଟରର ସୂଚନା ଅନୁଯାୟୀ, ଚଳିତ ବର୍ଷ ଶେଷ ଆଡ଼କୁ ଏହି ଏଲ୍-ନିନୋ ସ୍ଥିତି ଜାରି ରହିବା ନେଇ ୯୬% ସମ୍ଭାବନା ରହିଛି। ଏଥିମଧ୍ୟରୁ ପ୍ରାୟ ୬୩% ଆଶଙ୍କା ରହିଛି ଯେ ଏହା ଏକ ‘ସୁପର ଏଲ୍-ନିନୋ’ ବା ଅତି ଶକ୍ତିଶାଳୀ ରୂପ ଧାରଣ କରିବ, ଯାହାଫଳରେ ସମୁଦ୍ର ଜଳର ତାପମାତ୍ରା ସ୍ବାଭାବିକଠାରୁ ୨.୫ଓ ରୁ ୩ଓ ସେଲସିୟସ୍ ଅଧିକ ରହିବ।
ଏଲ୍-ନିନୋ ସକ୍ରିୟ ହେଲେ ଭାରତୀୟ ମୌସୁମୀ ବାୟୁ ଦୁର୍ବଳ ହୋଇଥାଏ। ଏହାଦ୍ୱାରା ଦେଶରେ ସ୍ବାଭାବିକଠାରୁ କମ୍ ବର୍ଷା ହେବା ସହ କୃଷି କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ଏଥିସହ ଏହା ବାୟୁମଣ୍ଡଳକୁ ଅଧିକ ଉତ୍ତପ୍ତ କରିବ। ଫଳରେ ଆଗାମୀ ଦିନରେ ଗ୍ରୀଷ୍ମ ପ୍ରବାହ ବା ଅଂଶୁଘାତଜନିତ ସମସ୍ୟା ଆହୁରି ଘାତକ ସାବ୍ୟସ୍ତ ହୋଇପାରେ। ଅପରପକ୍ଷେ ଏହା ପ୍ରଭାବରେ ଆମେରିକା ଏବଂ ପେରୁ ଭଳି ଦେଶରେ ପ୍ରବଳ ବନ୍ୟା ଓ ବର୍ଷା ହେବା ଆଶଙ୍କା ଥିବାବେଳେ ଭାରତ ସମେତ ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ ଏବଂ ଫିଲିପାଇନ୍ସରେ ପ୍ରବଳ ମରୁଡ଼ି ସହ ଜଙ୍ଗଲ ନିଆଁ ସୃଷ୍ଟି ଭଳି ସ୍ଥିତି ଉପୁଜିପାରେ। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ବିଭିନ୍ନ ସରକାରୀ ଓ କୃଷି ସଂସ୍ଥାଗୁଡ଼ିକୁ ଏବେଠାରୁ ସତର୍କ ରହିବାକୁ ଏନ୍ଓଏଏ ପକ୍ଷରୁ ପରାମର୍ଶ ଦିଆଯାଇଛି।