ହଳଦୀ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଲା ଚିଠି

ଦାରିଙ୍ଗବାଡି,୧୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ହଳଦୀ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟରୁ ଚିଠି ଆସିଛି। ଦିଲ୍ଲୀ ଲାଲକିଲ୍ଲାଠାରେ ଚଳିତ ସ୍ବାଧୀନତା ଦିବସ ପାଳନ ଅବସରରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ ମିଳିଛି। ନିମନ୍ତ୍ରଣ ପାଇଥିବା ଜନଜାତି ସମ୍ପ୍ରଦାୟର ହଳଦୀ ଚାଷୀ ହେଉଛନ୍ତି ଦାରିଙ୍ଗବାଡି ପଞ୍ଚାୟତ କାଣ୍ଡାପା ଗ୍ରାମର ମିନୁରା ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ନିମନ୍ତି ପ୍ରଧାନ। ଉକ୍ତ ଅଞ୍ଚଳର ଜଣେ ଜନଜାତି ସମ୍ପ୍ରଦାୟର ହଳଦୀ ଚାଷୀଙ୍କୁ ଦେଶର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ଏଭଳି ନିମନ୍ତ୍ରଣ ଆସିଥିବା ଜଣାପଡିଛି । ମିନୁରା ଜଣେ ସଫଳ ଚାଷୀ ହୋଇଥିବା ବେଳେ ବର୍ତ୍ତମାନ ଦାରିଙ୍ଗବାଡି ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର ଅଧ୍ୟକ୍ଷ ରହିଛନ୍ତି।

ଉକ୍ତ କମ୍ପାନୀ ଅଞ୍ଚଳରେ ଚାଷୀଙ୍କଠାରୁ ହଳଦୀ ଏବଂ କନ୍ଧମାଳ ଜିଲାରେ ଜଙ୍ଗଲରୁ ମିଳୁଥିବା ବିଭିନ୍ନ ଜଙ୍ଗଲଜାତୀୟ ଦ୍ରବ୍ୟକୁ ଠିକ୍‌ ଦରରେ କିଣି ପ୍ରକ୍ରିୟାକରଣ ପରେ ବିକ୍ରି କରାଯାଉଛି। ଏଥିସହ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଆଦିବାସୀ ମେଳାରେ ସରକାରଙ୍କ ସହଯୋଗରେ କନ୍ଧମାଳ ହଳଦୀ, ଅଦା, ଦାରିଙ୍ଗବାଡି କଫି ପାଉଡର, ଝୁଣା, ପାଳୁଅ, ସୋରିଷ, ବିଭିନ୍ନ ଡାଲି ଜାତୀୟ ଫସଲ ଆଦି ମେଳାରେ ବିକ୍ରି କରି ଚାଷୀ ଭଲ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି କମ୍ପାନୀ ପକ୍ଷରୁ ଦିଲ୍ଲୀରେ ଏକାଧିକ ଥର ମେଳାରେ କନ୍ଧମାଳ ହଳଦୀ ଓ ଅନ୍ୟ ସାମଗ୍ରୀ ବିକ୍ରି କରିଥିବା ବେଳେ ଫେବୃୟାରୀରେ ଏକ ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ପ୍ରଡ୍ୟୁସର କମ୍ପାନୀରୁ ଦାରିଙ୍ଗବାଡି କଫି କିଣିଥିଲେ। ସେହି ସମୟରେ ଏହା ବହୁ ଚର୍ଚ୍ଚା ହୋଇଥିଲା। ପ୍ରଡ୍ୟୁସର ଗ୍ରୁପର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହ ହଳଦୀ ସମ୍ପର୍କରେ ଆଲୋଚନା କରିଥିଲେ। ସେହି ସମୟରେ ହଳଦୀ କିଲୋ ୪୦ ଟଙ୍କା ରହିଥିବା ବେଳେ ଏବେ ତାହା ୧୦୦ ଟଙ୍କାରେ ପହଞ୍ଚିଛି। କନ୍ଧମାଳ ଜିଲା ଅନୁସୂଚିତଜାତି ସମ୍ପ୍ରଦାୟର ଜଣେ ଚାଷୀଙ୍କୁ ଦିଲ୍ଲୀ ଡକାଯିବା ଘଟଣା ଏବେ ଜିଲାରେ ଚର୍ଚ୍ଚା ଜୋର ଧରିଛି।