ଅବନ୍ତୀଙ୍କ ପ୍ରଚାରରେ ନେତା, ମନ୍ତ୍ରୀ

ଧାମନଗର,୧୯।୧୦(ସ୍ବ.ପ୍ର.):  ଧାମନଗର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେଉଁଠି ନିର୍ବାଚନୀ ସଭା କରାଯାଉଛି ତ ଆଉ କେଉଁଠି ଦଳର ନେତା ବିଭିନ୍ନ ୱାର୍ଡରେ ବୁଲି ଲୋକଙ୍କୁ ବୁଝାଇ ଭୋଟ ଭିକ୍ଷା କରୁଛନ୍ତି। ପ୍ରଚାରକୁ ଜୋରଦାର କରାଯାଇ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭୋଟରଙ୍କୁ ମନାଇବାରେ ଲାଗିପଡ଼ିଛନ୍ତି ଦଳୀୟ ନେତା। ମଙ୍ଗଳବାର ପୂର୍ବାହ୍ନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ଦଳୀୟ ସମର୍ଥକଙ୍କ ସହ ଧାମନଗର ବ୍ଲକ ୧୦ ନଂ. ଜୋନ୍‌ର କଲ୍ୟାଣୀ, ଗୋବିନ୍ଦପୁର, ଚୂଡ଼ାକୁଟି, ରାଧାବଲ୍ଲଭପୁର ଆଦି ପଞ୍ଚାୟତର ବିଭିନ୍ନ ୱାର୍ଡକୁ ଯାଇ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ମିଶନ ଶକ୍ତି ଜରିଆରେ ବିଭିନ୍ନ ଯୋଜନାକୁ ପ୍ରତ୍ୟେକ ଗ୍ରାମରେ ଥିବା ମହିଳାଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇ ସେମାନଙ୍କୁ ସ୍ବାବଲମ୍ବୀ ସହ ଆର୍ଥିକ ମାନଦଣ୍ଡ ସଶକ୍ତ କରାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରଚାରରେ ଦଳୀୟ ନେତା ଓ ମନ୍ତ୍ରୀ ସାମିଲ ହୋଇଥିଲେ। ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼େଇ, ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ରାଜ୍ୟ ସଭା ଏମ୍‌ପି ମୁନା ଖଁା, ସୁଲତା ଦେଓ ପ୍ରମୁଖ ଅବନ୍ତୀଙ୍କ ପାଇଁ ପ୍ରଚାର କରିଛନ୍ତି। ଜିଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କ ସହ ପ୍ରତ୍ୟେକ ପଞ୍ଚାୟତର ବହୁ ଦଳୀୟ କର୍ମୀ ଏଥିରେ ସାମିଲ ଥିଲେ।