ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ସମ୍ବଲପୁର ଜିଲା ସମବାୟ କେନ୍ଦ୍ର (ଏସ୍ଡ଼ିସିସି) ବ୍ୟାଙ୍କ କର୍ମଚାରୀ ନିଯୁକ୍ତିରେ ଏକ ବଡ଼ଧରଣର ଜାଲିଆତି ଅଭିଯୋଗ ହୋଇଛି। ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଏହି ପ୍ରସଙ୍ଗ ବିଧାନସଭାରେ ଉପସ୍ଥାପନ କରିବା ପରେ ଏହାର ଖୋଳତାଡ଼ ଆରମ୍ଭ ହୋଇଛି।
ନକଲି ଶିକ୍ଷାଗତ ପ୍ରମାଣପତ୍ର ପ୍ରଦାନ କରି ଉକ୍ତ ବ୍ୟାଙ୍କରେ ଅନେକ କର୍ମଚାରୀ ଚାକିରି ହାତେଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ସେଭଳି ଜାଲିଆତିରେ ସମ୍ପୃକ୍ତ ଏକାଧିକ କର୍ମଚାରୀଙ୍କ ପଦୋନ୍ନତି ମଧ୍ୟ ହୋଇସାରିଛି। ଏହି ଘଟଣାରେ ଇତିମଧ୍ୟରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ (ସପୋର୍ଟିଂ ଷ୍ଟାଫ୍) କାମାକ୍ଷା ପ୍ରସାଦ ମହାନନ୍ଦଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଅନ୍ୟ କର୍ମଚାରୀଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ଚାଲିଛି। ଯାଞ୍ଚ ପ୍ରକ୍ରିୟା ସରିବା ପରେ ଆହୁରି କର୍ମଚାରୀ ଚାକିରିରୁ ବିଦା ହେବେ ବୋଲି ଅନୁମାନ କରାଯାଉଛି।


