ରୋଗୀଙ୍କୁ ଶିଡ଼ି ଭରସା

ରାଉରକେଲା,୧୬।୯(ଦିନେଶ ମିଶ୍ର): ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌) ସହରର ଏକ ପ୍ରମୁଖ ଡାକ୍ତରଖାନା। ଏହି ଡାକ୍ତରଖାନାକୁ ରାତି ପାହିଲେ ହଜାର ହଜାର ରୋଗୀ ଚିକିତ୍ସିତ ହେବାକୁ ଆସିଥାନ୍ତି। ଡାକ୍ତରଖାନା ଉପରେ ଜିଲା ତଥା ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡରୁ ରୋଗୀ ନିର୍ଭର କରିଥାନ୍ତି। ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ପୋଡାଜଳା, ଅସ୍ଥିଶଲ୍ୟ, ଚକ୍ଷୁ, ନିଦାନ ଭଳି ବିଭିନ୍ନ ବିଭାଗ ରହିଛି। ତେବେ ଆର୍‌ଜିଏଚ୍‌ର ଅନ୍ତଃ ବିଭାଗରେ ଏବେ ନାନା ସମସ୍ୟା ଦେଖିବାକୁ ମିଳିଛି। ଏହି ବିଭାଗରେ ପ୍ରଥମ ମହଲାକୁ ଯିବା ପାଇଁ ୧୫ଟି ପାହାଚ ବିଶିଷ୍ଟ ଶିଡ଼ି ରହିଛି। ଯଦି ଗୁରୁତର ରୋଗୀ ଉପର ମହଲାରେ ଭର୍ତ୍ତି ହେବାକୁ ଯାଆନ୍ତି ତେବେ ତାଙ୍କୁ ଟେକି କରି ନେଇଯିବାକୁ ପଡିଥାଏ। ଡାକ୍ତରଖାନାର ଅନ୍ତଃ ବିଭାଗକୁ ଭେଷଜ ଚିକିତ୍ସା, ଅସ୍ତ୍ରୋପଚାର ରୋଗୀମାନେ ଆସିଥାନ୍ତି। ଏହି ବିଭାଗକୁ ରେଫର ହେଉଥିବା ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଖାନା ହ୍ବିଲ ଚେୟାର ନଚେତ ଷ୍ଟ୍ରେଚର ସାହାଯ୍ୟରେ ରୋଗୀଙ୍କୁ ଶିଡିରେ ବହୁ କଷ୍ଟରେ ନେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଅନ୍ତଃ ବିଭାଗରେ ହଜାର ହଜାର ରୋଗୀଙ୍କ ପାଇଁ ମାତ୍ର ୪ଟି ଷ୍ଟ୍ରେଚର ଥିବାବେଳେ ୬ଟି ହ୍ବିଲ ଚେୟାର ରହିଛି। ଯଦି କୌଣସି ରୋଗୀ ଏହି ବିଭାଗରେ ଭର୍ତ୍ତି ହେବାକୁ ଆସନ୍ତି ସେ ଷ୍ଟ୍ରେଚର ସୁବିଧା ପାଉନାହାନ୍ତି। ସେହିପରି ଦିନବେଳା ଆଉଟ୍‌ଡୋରରେ ଡାକ୍ତରମାନେ ବସୁଥିବାବେଳେ ରାତି ୯ଟା ପରେ ଇନ୍‌ଡୋରରେ ବସନ୍ତି। ଫଳରେ ଅନ୍ତଃ ବିଭାଗରେ ବାଧ୍ୟହୋଇ ରାତିରେ ଆସୁଥିବା ରୋଗୀମାନେ ଡାକ୍ତରଙ୍କୁ ପରାମର୍ଶ କରିଥାନ୍ତି। ଡାକ୍ତରଙ୍କୁ ଦେଖାଇବା ପରେ ଔଷଧ ପାଇଁ ଉପର ମହଲାକୁ ଯିବାକୁ ପଡିଥାଏ। ଫଳରେ ବହୁ ରୋଗୀ ଏହି ଶିଡିଦେଇ କଷ୍ଟରେ ଔଷଧ ଆଣିଥାନ୍ତି । ଏ ନେଇ ଅନ୍ତଃ ବିଭାଗରେ ଚିକିତ୍ସାଧୀନ ଜଣେ ରୋଗୀ ମଣିଲାଲ କେରକେଟ୍ଟା କୁହନ୍ତି, ଆର୍‌ଜିଏଚ୍‌ର ଅନ୍ତଃ ବିଭାଗରେ ଥିବା ଶିଡିରେ ବୃଦ୍ଧ ଓ ମହିଳା ରୋଗୀମାନଙ୍କୁ ଯାତାୟାତରେ ଅସୁବିଧା ହେଉଛି। ଯଦି ଡାକ୍ତରଖାନା କର୍ତ୍ତୃପକ୍ଷ ଶିଡି ବଦଳରେ ର଼୍ୟାମ୍ପ୍‌ ବ୍ୟବସ୍ଥା କରନ୍ତେ ତାହେଲେ ଏଠାକୁ ଆସୁଥିବା ରୋଗୀ ଉପକୃତ ହୁଅନ୍ତେ। ଏ ନେଇ ଡାକ୍ତରଖାନାର ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ, ଡାକ୍ତରଖାନାର ଅନ୍ତଃ ବିଭାଗ ପଛପଟ ଦେଇ ର଼୍ୟାମ୍ପ ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହା ବୁଲାଣି ପଡୁଥିବାରୁ ଏହାକୁ ବହୁ ଲୋକ ବ୍ୟବହାର କରୁନାହାନ୍ତି। ତଥାପି ଆମେ ଆଗାମୀ ଦିନରେ ଏହି ର଼୍ୟାମ୍ପ ଦେଇ ରୋଗୀ ଓ ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସୂଚନା ଫଳକ ଲଗାଇ ଏହାକୁ ଅଧିକ ବ୍ୟବହାର କରିବା ପାଇଁ ଅବଗତ କରିବୁ । ଫଳରେ କୌଣସି ଗୁରୁତର ରୋଗୀ ଶିଡି ବ୍ୟବହାର ନ କରି ଏହି ର଼୍ୟାମ୍ପ ବ୍ୟବହାର କରିବେ ବୋଲି ସ୍ବାଇଁ ସୂଚନା ଦେଇଥିଲେ।