Categories: ଜାତୀୟ

ପଞ୍ଜାବ ପୋଲିସ ବିରୋଧରେ ଅପହରଣ ମାମଲା ରୁଜୁ

ନୂଆଦିଲ୍ଲୀ,୬।୫: ଦିଲ୍ଲୀର ଜନକପୁରୀ ସ୍ଥିତ ବାସଭବନରୁ ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ଗିରଫ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ଗିରଫ ପରେ ବାଗାଙ୍କୁ ଦିଲ୍ଲୀରୁ ମୋହାଲିକୁ ଅଣାଯାଇଥିଲା। କିନ୍ତୁ ଏହାପୂର୍ବରୁ ହରିୟାଣା ପୋଲିସ କୁରୁକ୍ଷେତ୍ରର ଖାନପୁର କୋଲିଆନ ଗ୍ରାମ ନିକଟ ଜାତୀୟ ରାଜପଥ -୪୪ରେ ପଞ୍ଜାବ ପୋଲିସକୁ ଅଟକାଇଛି। କୁରୁକ୍ଷେତ୍ର, ଅମ୍ବାଲା ଏବଂ କରନାଲ ପୋଲିସ ଅଧୀକ୍ଷକମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପଞ୍ଜାବ ପୋଲିସକୁ ପଚରାଉଚରା କରାଯାଉଛି। ଅନ୍ୟପକ୍ଷରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଧମକ ଦେଇଥିବା ଅଭିଯୋଗରେ ପଞ୍ଜାବ ପୋଲିସ ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସ ଅପହରଣ ମାମଲା ରୁଜୁ କରିଛି।
ଏହା ବ୍ୟତୀତ ଦିଲ୍ଲୀ ଭାଜପା ନେତା ଏବଂ ବାଗାଙ୍କ ପରିବାର ସଦସ୍ୟ ଜନକପୁରୀ ପୋଲିସ ଷ୍ଟେଶନ ବାହାରେ କେଜ୍‌ରିଓ୍ବାଲ ଏବଂ ପଞ୍ଜାବ ପୋଲିସ ବିରୋଧରେ ପ୍ରଦର୍ଶନ କରିଥିଲେ। ଏହାପୂର୍ବରୁ ତାଙ୍କ ପିତା ପ୍ରୀତପାଲ ସିଂ ବାଗା ପଞ୍ଜାବ ପୋଲିସ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ପ୍ରୀତପାଲ କହିଛନ୍ତି, ୧୦-୧୫ ପୋଲିସ ସକାଳେ ଆମ ଘରକୁ ଆସି ତାଜିନ୍ଦରଙ୍କୁ ଟାଣି ନେଇଥିଲେ। ମୁଁ ଘଟଣାର ଭିଡିଓ ରେକର୍ଡ କରିବା ପାଇଁ ମୋ ମୋବାଇଲ ଫୋନ ଆଣିବାରୁ ପୋଲିସ ମୋତେ ଅନ୍ୟ ଏକ କୋଠରୀକୁ ନେଇ ମୁହଁକୁ ମୁଥ ମାରିଥିଲେ।

Share