ନିଜ ତିଆରି ବିମାନରେ ୟୁରୋପ ବୁଲିଲେ କେରଳ ବ୍ୟକ୍ତି

ଲଣ୍ଡନ,୨୮।୭: କୋଭିଡ୍‌-୧୯ ଲକ୍‌ଡାଉନ୍‌ ସମୟରେ ବିମାନ ସେବା ବନ୍ଦ ହୋଇଯାଇଥିବାବେଳେ କେରଳର ଜଣେ ବ୍ୟକ୍ତି ନିଜସ୍ବ ଉଦ୍ୟମରେ ଏକ ବିମାନ ନିର୍ମାଣ କରିଥିଲେ। ଉକ୍ତ ବିମାନରେ ସେ ପରିବାର ସହ ୟୁରୋପ ଭ୍ରମଣ କରିଛନ୍ତି। କେରଳ ଅଲାପୁଝା ଅଞ୍ଚଳର ଅଶୋକ ଆଲିସେରିଲ ଥମରକ୍ଷଣଙ୍କୁ ୪ ସିଟ୍‌ବିଶିଷ୍ଟ ବିମାନ ତିଆରି କରିବା ଲାଗି ୧୮ ମାସ ସମୟ ଲାଗିଛି। ଅଶୋକ ତାଙ୍କ ସାନ ଝିଅ ନାଁ ଅନୁଯାୟୀ ସ୍ଲିଙ୍ଗ୍‌ ଟିଏସ୍‌ଆଇ ମଡେଲର ଏହି ବିମାନର ନାମ ଜି-ଦିୟା ରଖିଛନ୍ତି।

କେରଳର ପୂର୍ବତନ ବିଧାୟକ ଏ.ଭି. ଥମରକ୍ଷଣଙ୍କ ପୁଅ ଅଶୋକ ମାଷ୍ଟର ଡିଗ୍ରୀ ହାସଲ ଲାଗି ୨୦୦୬ରେ ବ୍ରିଟେନ ଯାଇଥିଲେ। ସେ ଏବେ ସେଠାରେ ଫୋର୍ଡ ମୋଟର କମ୍ପାନୀରେ କାର୍ଯ୍ୟରତ। ସେ ତାଙ୍କ ନିର୍ମିତ ବିମାନରେ ଜର୍ମାନୀ, ଅଷ୍ଟ୍ରିଆ ଏବଂ ଚେକ୍‌ ରିପବ୍ଲିକ୍‌ ଭ୍ରମଣ କରିଛନ୍ତି। ୨୦୧୮ରେ ସେ ପାଇଲଟ ଲାଇସେନ୍ସ ପାଇବା ପରେ ୨-ସିଟର୍‌ ବିମାନ ଭଡ଼ାରେ ନେଇ ବ୍ୟବହାର କରୁଥିଲେ। ତେବେ ତାଙ୍କ ପରିବାରରେ ୪ ସଦସ୍ୟ ଥିବାରୁ ୪-ସିଟର ବିମାନ କ୍ୱଚିତ୍‌ ମିଳୁଥିଲା। ସେଥିପାଇଁ ସେ ନିଜେ ଏକ ବିମାନ ତିଆରି କରିବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି। ଲକ୍‌ଡାଉନ ସମୟରେ ହାତରେ ପ୍ରଚୁର ସମୟ ଥିଲା। ସେହି ସମୟରେ ସେ ନିଜର ଆକାଂକ୍ଷିତ ପ୍ରକଳ୍ପ କାର୍ଯ୍ୟରେ ଲାଗିପଡ଼ିଲେ। ବିମାନ ତିଆରିରେ ମୋଟ ୧.୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅଶୋକ କହିଛନ୍ତି।

Share