ଆଣବିକ ଅସ୍ତ୍ର ପରସ୍ପର ଉପରେ ପ୍ରୟୋଗ ପାଇଁ ନୁହେଁ, ୫ ମହାଶକ୍ତିଙ୍କ ମିଳିତ ଘୋଷଣା…

ଓ୍ବାଶିଂଟନ, ୪।୧ : ୟୁରୋପ ଏବଂ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ୫ ମହାଶକ୍ତି ମିଳିତ ଭାବେ ସେମାନଙ୍କର ଆଣବିକ ଅସ୍ତ୍ର ସମ୍ବନ୍ଧରେ ଏକ ବଡ଼ ବିବୃତି ଦେଇଛନ୍ତି। ଏହି ଦେଶଗୁଡିକ ଘୋଷଣା କରିଛନ୍ତି ଯେ ସେମାନଙ୍କର ପରମାଣୁ ଅସ୍ତ୍ର ପରସ୍ପର ବିରୁଦ୍ଧରେ ନୁହେଁ। ସେମାନେ ଏହା ମଧ୍ୟ କହିଛନ୍ତି ଯେ କୌଣସି ଯୁଦ୍ଧରୁ ଦୂରେଇ ରହିବା ଏବଂ ଆଣବିକ ଅସ୍ତ୍ରଶସ୍ତ୍ର ଦେଶ ମଧ୍ୟରେ ରଣନୈତିକ ବିପଦକୁ କମ କରିବା ସେମାନଙ୍କର ସବୁଠାରୁ ବଡ ଦାୟିତ୍ୱ ବୋଲି ୫ ମହାଶକ୍ତି କହିଛନ୍ତି।

ଏହି ମିଳିତ ବିବୃତି ରୁଷିଆ, ଆମେରିକା, ଚାଇନା, ଫ୍ରାନ୍ସ ଏବଂ ବ୍ରିଟେନ ଦ୍ୱରା ଜାରି କରାଯାଇଛି। ରୁଷିଆର ରାଷ୍ଟ୍ରପତି କାର୍ଯ୍ୟାଳୟ, କ୍ରେମଲିନ ଏବଂ ଆମେରିକାର ରାଷ୍ଟ୍ରପତି କାର୍ଯ୍ୟାଳୟ ହ୍ବାଇଟ ହାଉସ ନିଜ ନିଜ ୱେବସାଇଟରେ ବିବୃତି ଜାରି କରି ଲେଖିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ରର ଅନଧିକୃତ କିମ୍ବା ଅନିଚ୍ଛାକୃତ ବ୍ୟବହାରକୁ ରୋକିବା ପାଇଁ ଆମର ଜାତୀୟ ପଦକ୍ଷେପକୁ ବଜାୟ ରଖିବା ଏବଂ ଏହି ପ୍ରୟାସକୁ ଅଧିକ ଦୃଢ଼ କରିବା ପାଇଁ ଆମର ଉଦ୍ଦେଶ୍ୟ ରହିଛି।

ଏହା ଅନ୍ତର୍ଗତ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ପୂର୍ବରୁ ସର୍ବୋଚ୍ଚ ସ୍ତରୀୟ ଅନୁମୋଦନ ପ୍ରାପ୍ତି କରିବାକୁ ମଧ୍ୟ ସାମିଲ କରାଯାଇଥିବା ଓ୍ବେବସାଇଟ୍‌ରେ ଉଲ୍ଲେଖ କରାଯାଇଛି। ଏହା ବ୍ୟତୀତ ଏହି ପାଞ୍ଚଟି ଦେଶ କହିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ର ଉପରେ ଆମର ପୂର୍ବ ବିବୃତିର ବୈଧତାକୁ ଆମେ ଦୋହରାଇଛୁ। ସେମାନେ କହିଛନ୍ତି ଯେ ଆମେ ନିଶ୍ଚିତ କରୁଛୁ ଯେ ଆମର କୌଣସି ଆଣବିକ ଅସ୍ତ୍ର ପରସ୍ପର ପ୍ରତି କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ନୁହେଁ। ସେମାନେ କହିଛନ୍ତି ଯେ ଆଣବିକ ଯୁଦ୍ଧକୁ ଜିତିବା ସମ୍ଭବ ନୁହେଁ। ତେଣୁ ଏଭଳି ଯୁଦ୍ଧ କେବେ ହେବା ଉଚିତ ନାହିଁ।

ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାରର ସୁଦୂରପ୍ରସାରୀ ପରିଣାମ ଭୋଗିବାକୁ ପଡ଼ିଥାଏ। ତେଣୁ ଆମେ ଏହାକୁ କେବଳ ପ୍ରତିରକ୍ଷା ଉଦ୍ଦେଶ୍ୟରେ ବ୍ୟବହାର କରିବୁ। ଆକ୍ରୋଶ ଏବଂ ଯୁଦ୍ଧକୁ ରୋକିବା ପାଇଁ ଏସବୁକୁ ବ୍ୟବହାର କରିବୁ। ଏହିପରି ଅସ୍ତ୍ରଶସ୍ତ୍ରର ବିସ୍ତାରକୁ ରୋକିବା ଆବଶ୍ୟକତା ରହିଛି। ଆଣବିକ ଅଣ ବିସ୍ତାର ପ୍ରସାର ଚୁକ୍ତିନାମା ପ୍ରତି ଏହି ପାଞ୍ଚଟି ଦେଶ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି।

ଏସ୍‌ଆଇପିଆରଆଇ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସମସ୍ତ ନଅଟି ଆଣବିକ ଅସ୍ତ୍ରଶସ୍ତ୍ର ସକ୍ଷମ ଦେଶଙ୍କ ପାଖରେ ସମୁଦାୟ ୧୩,୦୮୦ ପରମାଣୁ ୱାରହେଡ ଅଛି । ସେଥିମଧ୍ୟରୁ ରୁଷିଆ ପାଖରେ ସର୍ବାଧିକ ୬,୨୫୫ ଏବଂ ଆମେରିକା ନିକଟରେ ୫,୫୫୦ ଆଣବିକ ଅସ୍ତ୍ର ରହିଛି। ଏମାନଙ୍କ ବ୍ୟତୀତ ଫ୍ରାନ୍ସରେ ୨୯୦, ବ୍ରିଟେନରେ ୨୨୫, ଇସ୍ରାଏଲରେ ୯୦ ଥିବାବେଳେ ଉତ୍ତର କୋରିଆରେ ୪୦-୫୦ ଆଣବିକ ଅସ୍ତ୍ର ରହିଛି।

ଏହି ପରିସଂଖ୍ୟାନଗୁଡିକ ସମ୍ପୂର୍ଣ୍ଣ ସଠିକ ବୋଲି ଦାବି କରାଯାଇପାରିବ ନାହିଁ କାରଣ ପ୍ରତ୍ୟେକ ଦେଶ ଏହାର ପରମାଣୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିଛନ୍ତି।

ଚାଇନା ନିଜର ଆଣବିକ ଅସ୍ତ୍ରଶସ୍ତ୍ରକୁ ବୃଦ୍ଧି ଏବଂ ଆଧୁନିକୀକରଣ କରିବା ଲକ୍ଷ୍ୟ ଅଧାରୁ ଅଧିକ ପୂରଣ କରି ସାରିଛି। ପାକିସ୍ତାନ ମଧ୍ୟ ନିଜର ଆଣବିକ ଅସ୍ତ୍ରଶସ୍ତ୍ରକୁ ବୃଦ୍ଧି କରୁଛି ବୋଲି ଏସ୍‌ଆଇପିଆରଆଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share