ମୌଳିକ ସୁବିଧା ଦାବିରେ ଅନଶନ

ସାରସକଣା,୬ା୨- ମୟୂରଭଞ୍ଜ ଜିଲା ଝାରପୋଖରିଆ ସ୍ଥିତ ବସ୍‌ଷ୍ଟାଣ୍ଡଠାରେ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଦାବିରେ ସ୍ଥାନୀୟ ଅଞ୍ଚଳର କ୍ଷୀରୋଦ ଚନ୍ଦ୍ର ଦାସ ଆମରଣ ଅନଶନରେ ବସିଛନ୍ତି। ବସ୍‌ଷ୍ଟାଣ୍ଡରେ ଯାତ୍ରୀ ପ୍ରତୀକ୍ଷାଳୟ, ଶୌଚାଳୟ, ପାନୀୟ ଜଳ ଓ ଆଲୋକ ବ୍ୟବସ୍ଥା ପାଇଁ ଗତ ୨୯ ତାରିଖରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ସେ ଅତିରିକ୍ତ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି ବସ୍‌ଷ୍ଟାଣ୍ଡରେ ଯାତ୍ରୀପ୍ରତୀକ୍ଷାଳୟ ଓ ଶୌଚାଳୟ ନିର୍ମାଣ କାର୍ଯ୍ୟର ଭୂମିପୂଜନ ହେବାର ୩ ବର୍ଷ ବିତିଯାଇଥିଲେ ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ୨୦୧୮ରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଏହା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଥିଲା। ଏହି ବସ୍‌ଷ୍ଟାଣ୍ଡଟି ଓଡ଼ିଶା ସମେତ ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଭଳି ୩ଟି ରାଜ୍ୟର ଯାତ୍ରୀମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ପ୍ରଶାସନିକ ଅବହେଳା କାରଣରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ଦାବିକୁ ନେଇ ୨୦୧୯ ମାର୍ଚ୍ଚ ୧୫ରୁ ମଧ୍ୟ କ୍ଷୀରୋଦ ଆମରଣ ଅନଶନରେ ବସିଥଲେ।