ଘରବାରଣ୍ଡାରେ ସିନ୍ଦୂରଲଗା ମଣିଷ ଖପୁରି

ନୟାଗଡ଼/ଭାପୁର, ୧୮।୧୧(ଲୋକନାଥ ମିଶ୍ର/ପ୍ରଭାତ ବରାଡ): ବାରିପଟ ଘର ବାରଣ୍ଡାରେ ପଡିଥିଲା ସିନ୍ଦୂର ଲାଗିଥିବା ମଣିଷ ଖପୁରି। ପ୍ରାୟ ୨ମାସ ହେଲା ବିଷ୍ଠା ଓ ଆବର୍ଜନା ବାରଣ୍ଡାରେ ପଡୁଥିବାବେଳେ ମଙ୍ଗଳବାର ସକାଳେ ଖପୁରି ପଡିବା ଘଟଣା ପରିବାର ଲୋକଙ୍କ ନିଦ ହଜାଇ ଦେଇଛି। ଗୁଣିଗାରେଡି ଆଶଙ୍କାରେ ପରିବାର ଲୋକେ ଜ୍ୟୋତିଷଙ୍କ ପରାମର୍ଶରେ ଉକ୍ତ ଖପୁରିକୁ ନେଇ ଗାଁ ଶ୍ମଶାନରେ ପୋତି ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲା ଫତେଗଡ ଥାନା ଭାପୁର ବିଟ୍‌ ହାଉସ ଭାପୁର ପାଇକ ସାହିରେ। ଏସବୁକୁ ନେଇ ସାହିର ବାବୁଲି ବରାଡଙ୍କ ସହ ଗାଁ ରେ ଭୟର ବାତାବରଣ ଖେଳି ଯାଇଛି।
ପାଇକସାହିର ବାବୁଲି ବରାଡଙ୍କ ଘର ବାରଣ୍ଡାରେ ସିନ୍ଦୂର ଲଗା ମଣିଷ ଖପୁରି ପଡିଥିବା ମଙ୍ଗଳବାର ସକାଳେ ଦେଖିବାକୁ ମିଳିଥିଲା। ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଗାଁଲୋକଙ୍କ ଭିଡ ଜମିଥିଲା। ଘଟଣା ସମ୍ପର୍କରେ ଥାନା ଓ ବିଟ୍‌ ପକ୍ଷରୁ ତଦନ୍ତ ହୋଇଥିଲେ ମଧ୍ୟ ମାମଲା ରୁଜୁ ହୋଇନାହିଁ। ତେବେ ବାରଣ୍ଡକୁ ଖପୁରି ଆସିବା ଓ ଏଥିରେ କିଏ ସିନ୍ଦୂର ଲଗାଇଲା ତାହାକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ଏହା ପଛରେ ଗୁଣି ଗାରେଡ଼ି ରହିଛି ନା କିଏ ଡରାଇବାକୁ ଏପରି କରିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୂର୍ବରୁ ଗତ ମେ ମାସରେ ଫତେଗଡ ଥାନା ଗୋଳାପୋଖରୀ ଲଙ୍କାଆମ୍ବ ଜଙ୍ଗଲରୁ ନରକଙ୍କାଳ ମିଳିଥିଲା। ସଂପୃକ୍ତ କଙ୍କାଳ ପୁରୁଷ କି ମହିଳାଙ୍କର ଜଣାପଡିଲା ନାହିଁ। ଗୋଳାପୋଖରୀ ଘଟଣାର ରହସ୍ୟ ଉନ୍ମୋଚନ ହୋଇ ନ ଥିବାବେଳେ ପାଇକସାହି ଘଟଣା ଗାଁଲୋକଙ୍କ ମନରେ ଭୟ ବଢ଼ାଇ ଦେଇଛି। ଘଟଣା ସମ୍ପର୍କରେ ପାଇକସାହିର ବାବୁଲି ବରାଡ କହିଛନ୍ତି, ସୋମବାର ସକ୍ରାନ୍ତି ଥିଲା। ପରିବାର ଲୋକେ ଖାଇପିଇ ଶୋଇଥିଲୁ। ଭୋରରୁ ଉଠିଲା ପରେ ବାରପଟ ଘର ବାରଣ୍ଡାରେ ସିନ୍ଦୂର ଲଗା ଖପୁରି ପଡ଼ିଥିବା ଦେଖିବାକୁ ପାଇଥିଲୁ। ତନ୍ତ୍ର ସାଧନା କରି ମୋତେ କିଏ ହଇରାଣ କରିବାକୁ ଏପରି କରିଥିବା ଅନୁମାନ କରୁଛି। ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଇବୁ ବୋଲି ସେ କହିଥିଲେ। ତେବେ ଭାପୁର ବିଟ୍‌ ହାଉସ ଅଧିକାରୀ ସୁଶାନ୍ତ କୁମାର ବେହେରାଙ୍କୁ ପଚାରିବାରୁ ବିଟ୍‌ରେ ଖପୁରି ପଡିବା ନେଇ କୌଣସି ଅଭିଯୋଗ ନାହିଁ। ଖପୁରି ପଡିଥିବା କଥା ଶୁଣି ପୋଲିସ ନିଜଆଡୁ ତଦନ୍ତ କରି ବାବୁଲିଙ୍କ ଘରକୁ ଯାଇଥିଲା। ହେଲେ ପରିବାର ଲୋକ ଖପୁରିକୁ ନେଇ ଶ୍ମଶାନରେ ପୋଡି ଦେଇଥିବାରୁ ତଦନ୍ତ ଆଗକୁ ଆଗେଇପାରିନାହିଁ ବୋଲି ସେ କହଛନ୍ତି।

Dharitri – Odisha’s No.1 Odia Daily

Share