ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ

ଝାରସୁଗୁଡା ଅଫିସ୍‌,୩୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ଜଣେ ଅସୁସ୍ଥ ହୋମ୍‌ଗାର୍ଡଙ୍କ ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ବଡ ମେଡିକାଲ୍‌ରେ ମଙ୍ଗଳବାର ମୃତ୍ୟୁ ଘଟିଛି। ମୃତ ହୋମଗାର୍ଡଜଣଙ୍କ ହେଲେ ଝାରସୁଗୁଡା ସଦର ଥାନାରେ କାର୍ଯ୍ୟରତ ତ୍ରିଲୋଚନ ମହାନ୍ତି(୪୫)। ସେ ତାଙ୍କ ପରିବାର ସହ ବିଟିଏମ୍‌ କଲୋନୀରେ ରହୁଥିବା ଜଣାପଡ଼ିଛି। ତେବେ ପୋଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦପାଇଁ ପଠାଇଛି । ଏନେଇ ସଦର ଥାନା ପୋଲିସ୍‌ ଅପମୃତ୍ୟୁ ମାମଲା(ନଂ ୧୦/୨୨) ରୁଜୁକରି ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ, ହୋମଗାର୍ଡ ତ୍ରିଲୋଚନ ଗତ ରବିବାର ଲଖନପୁର ବ୍ଲକ୍‌ ସରଣ୍ଡାମାଲ ପଞ୍ଚାୟତ ଫଠା ଗ୍ରାମର ୨୩୮ନଂ ବୁଥ୍‌ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ । ସେଦିନ ସେ ଅସୁସ୍ଥ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ତୁରନ୍ତ ଝାରସୁଗୁଡା ଜିଲା ମୁଖ୍ୟ ଚିକତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ବୁର୍ଲା ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ମୃତ୍ୟୁ ହୋଇଛି । ଏଭଳି ଖବର ଜଣାପଡିବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ହୋମଗାର୍ଡଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହେଉଛି।