ସହର ଛାଡ଼ିଲେ ଓ୍ବାଗନର ଗ୍ରୁପ୍‌

ମସ୍କୋ,୨୫ା୬: ପୁଟିନ ସରକାରଙ୍କୁ ହଟାଇବା ପାଇଁ ଧମକ ଦେବାର ଗୋଟିଏ ଦିନ ପରେ ଶକ୍ତିଶାଳୀ ଗୋଷ୍ଠୀ ଓ୍ବାଗନର ଗ୍ରୁପ୍‌ ରବିବାର ଦକ୍ଷିଣ ରୁଷିଆ ସହର ରୋଷ୍ଟୋଭ୍‌-ଅନ୍‌-ଡନ୍‌ ଛାଡ଼ିଛନ୍ତି। ଫଳରେ ରୁଷିଆରେ ଗୃହଯୁଦ୍ଧ ଏବଂ ପାଲଟା ଆକ୍ରମଣର ବିପଦ ଟଳି ଯାଇଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ବିରୋଧରେ ଲଢ଼େଇ କରୁଉଥିବା ଏକ ଘରୋଇ ସେନା ଓ୍ବାଗନର ଗ୍ରୁପ୍‌ର ମୁଖ୍ୟ ୟେଭ୍‌ଗେନି ଭି ପ୍ରିଗୋଝିନ୍‌ ନିଜ ସେନାକୁ ଫେରିଯିବାକୁ ଆଦେଶ ଦେଇଛନ୍ତି।

ରୁଷିଆ ରାଷ୍ଟ୍ରପତି କାର୍ଯ୍ୟାଳୟର ମୁଖ୍ୟପାତ୍ର ଡିମିଟ୍ରି ପେସ୍କୋଭ୍‌ କହିଛନ୍ତି, ବିଦ୍ରୋହକୁ ବନ୍ଦ କରିବା ପାଇଁ ଏକ ଚୁକ୍ତିନାମାର ଅଂଶ ଭାବରେ ବେସରକାରୀ ସାମରିକ କମ୍ପାନୀ ଓ୍ବାଗନର ମୁଖ୍ୟ ପଡ଼ୋଶୀ ବେଲାରୁଷ ଯିବେ। ଓ୍ବାଗନର ମୁଖ୍ୟଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ବନ୍ଦ ହେବ ବୋଲି ସେ କହିଛନ୍ତି। ଓ୍ବାଗନର ଗ୍ରୁପ୍‌ର ସଦସ୍ୟମାନଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯିବ ନାହିଁ ବୋଲି କ୍ରେମଲିନ ମୁଖ୍ୟପାତ୍ର କହିଛନ୍ତି। ସେମାନଙ୍କ ସାହସିକତାକୁ ଆମେ ସର୍ବଦା ସମ୍ମାନ ଦେଇ ଆସିଛୁ ବୋଲି ସେ କହିଛନ୍ତି।

Share