Categories: ବାଣିଜ୍ୟ

ମେଳା ମିଳନର ମହାପର୍ବ

ଭୁବନେଶ୍ୱର,୨୬।୨: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଜନତା ମଇଦାନଠାରେ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ୧୮ ତମ ହୋମ୍‌ ଆଣ୍ଡ ଡେକୋର-୨୦୨୩ ରିୟଲ ଇଷ୍ଟେଟ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ସେହିଭଳି ବେଙ୍ଗଲ ଚ୍ୟାମ୍ବର ଅଫ୍‌ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରି ସହ ଜିଏସ୍‌ ମାର୍କେଟିଂ ଆସୋସିଏଟ୍‌ ମିଳିତ ଭାବେ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ମେଗା ଟ୍ରେଡ୍‌ ଫେୟାର ଆୟୋଜିତ ହୋଇଛି। ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ୧୦ ଦିନିଆ ସର୍ବବୃହତ୍‌ ଫେୟାର ଏବଂ ପ୍ରଦର୍ଶନୀ ଶନିବାରଠାରୁ ଆରମ୍ଭ ହୋଇଯାଇଛି। ଉକ୍ତ ମେଳା ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ କ୍ରେଡାଇ ଭୁବନେଶ୍ୱରର ସଭାପତି ପି.କେ. ବିଶ୍ୱାସରାଏ ଅତିଥି ପରିଚୟ ସାଙ୍ଗକୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏପରିକି ସେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ମେଳା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ସେହିଭଳି ବର୍ତ୍ତମାନ ସମୟରେ ବଢୁଥିବା ସହରାଞ୍ଚଳର ଆକାରରେ ରିୟଲ ଇଷ୍ଟେଟ ସଂସ୍ଥାର ଭୂମିକା ଅତୁଳନୀୟ। ଏପରିକି ଭିତ୍ତିଭୂମି ବିକାଶ ଓ ରିୟଲ ଇଷ୍ଟେଟ କ୍ଷେତ୍ର ପ୍ରତି ରହିଥିବା ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଉଷା ଦେବୀ ଓ ଅନ୍ୟ ଅତିଥିମାନେ ମଧ୍ୟ ଏ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିବା ସହ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଗୋଟିଏ ସ୍ଥାନରେ ୨ଟି ମେଳା ଗୋଟିଏ ଛାତ ତଳେ ଆୟୋଜିତ ହେଉଥିବାରୁ ମେଳାକୁ ପ୍ରତିଦିନ ଶହ ଶହ ଲୋକ ସେମାନଙ୍କର ଆବଶ୍ୟକତା ଓ ମନୋରଞ୍ଜନ ପାଇଁ ଆସିବେ। ବର୍ତ୍ତମାନ ସମୟରେ ମେଳା ଏକ ମିଳନର ମହାପର୍ବ ପାଲଟିଛି ବୋଲି ମୁଖ୍ୟ ଅତିଥି ଓ ଅନ୍ୟ ସମ୍ମାନିତ ଅତିଥିମାନେ ମଧ୍ୟ କହିଛନ୍ତି। କାରଣ ମେଳାରେ ଖାଲି ମନୋରଞ୍ଚନ ହୋଇ ନ ଥାଏ। ମେଳା ସବୁ ବର୍ଗଙ୍କ ପାଇଁ ହୋଇଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ଏହା ଉଭୟ ଗ୍ରାହକ ଓ ବ୍ୟବସାୟଙ୍କ ମଧ୍ୟରେ ଏକ ସମ୍ପର୍କ ସୃଷ୍ଟି କରିଥାଏ। ମେଳାରୁ ଗ୍ରାହକମାନେ ସେମାନଙ୍କର ଆବଶ୍ୟକତା ପୂରଣ କରିଥାନ୍ତି। ଅପରପକ୍ଷରେ ଉଭୟ ମେଳାରେ ମୋଟ ୧୦ ପାଭିଲିୟନ ଥିଲାବେଳେ ୧୬ଟି ରାଜ୍ୟ ଓ ୯ଟି ରାଷ୍ଟ୍ରର ଭିନ୍ନ ଭିନ୍ନ ବର୍ଗର ବ୍ୟବସାୟୀମାନେ ଅଂଶ ଗ୍ରହଣ କରିଛନ୍ତି। ମେଳାରେ ମୋଟ ୪୬୫ ଷ୍ଟଲ୍‌ ରହିଛି ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

Share