ଜୁଆଆଡ୍ଡାରେ ବଡ଼ଧରଣର ଚଢ଼ାଉ: ୯ ଗିରଫ, ୧୨ କାର୍‌ ଜବତ

ବରଗଡ଼ ଅଫିସ/ସୋହେଲା୧୯ା୪(ଡି.ଏନ୍‌.ଏ.): ବରଗଡ଼ ଜିଲା ପୋଲିସ ସ୍ପେଶାଲ ସ୍କ୍ବାଡ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଜୁଆଆଡ୍ଡାରେ ଚଢ଼ାଉ କରିଥିଲା। ଜିଲାର ସୋହେଲା ଥାନା ଲୁହୁରାଚଟି ନିକଟ ରାଜସ୍ଥାନୀ ଢାବା ପଛପଟେ ଚାଲିଥିବା ଏହି ଜୁଆଆଡ୍ଡାରୁ ପୋଲିସ ନଗଦ ୨ଲକ୍ଷ ୫୪ହଜାର ୪୪୦ ଟଙ୍କା ସମେତ ବ୍ୟବହୃତ ଜୁଆ ସାମଗ୍ରୀ ଜବତ କରିଛି। କେବଳ ସେତିକି ନୁହେଁ, ସେଠାରୁ ପୋଲିସ ୧୨ଟି ଦାମୀ କାର୍‌ ଜବତ କରିଥିବା ବେଳେ ୯ଜଣଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ, ଛତିଶଗଡ଼ ରାଜ୍ୟ ବରମକେଲାର କରିମ ଖାନ, ଜାଲଗଡର ଭୂପେଶ କୁମାର, ପିଥୋଡ଼ାର ଯଶପାଲ ସିଂ, ଚନ୍ଦମରୀର ମିର୍ଜା ଅହମ୍ମଦ, କ୍ରିଷ୍ଣାନଗର ଜାରାର ପ୍ରକାଶ କୁମାର, ବଗଡାପଡ଼ାର କୁଲଜିତ୍‌ ସିଂ, ସରିୟା ସୋନାରପରାର ଦୀପକ ଅଗ୍ରଓ୍ବାଲ ଏବଂ ନୂଆପଡ଼ା ଖରିଆର୍‌ ରୋଡର ଅହମ୍ମଦ ଅଲ୍ଲ, ନୂଆପଡ଼ା ଜିଲା ଡୁମେରପାଣିର ଧଳେନ୍ଦ୍ର ସାହୁ। ସେମାନଙ୍କ ପାଖରୁ ୩ ପ୍ୟାକେଟ ତାସ, ବିଦେଶୀ ମଦ ଏବଂ ୯ଟି ମୋବାଇଲ ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଛି। ଜୁଆଖେଳ ଦମନ ପାଇଁ ପୋଲିସ ସବୁବେଳେ ନଜର ରଖିଛି ଏବଂ ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ପଦ୍ମପୁର ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇ କହିଛନ୍ତି।